ବିଛିନ୍ନାଞ୍ଚଳରେ ପୁଣିଥରେ ପ୍ରଜାମେଳି, ଆନ୍ଧ୍ରରେ ମିଶିବାକୁ ଚେତାବନୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ପୁଣି ଥରେ ବିଛିନାଞ୍ଚଳବାସୀ ଏକତ୍ରିତ ହୋଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତ ର ଆରାପଦର ଗ୍ରାମରେ ହୋଇଥିଲା। ବିଛିନାଞ୍ଚଳ ର ୭ ଟି ପଞ୍ଚାୟତ ର ହଜାର ହଜାର ଲୋକେ ଏହି ପ୍ରଜାମେଳି କରି ନିଜର ନ୍ୟାୟ ଓ ସେମାନଙ୍କ ହକ୍ ପାଇଁ ନିଜର ସ୍ୱର ଉତ୍ତୋଳନ କରିଥିଲେ।

ବିଛିନାଞ୍ଚଳବାସୀଙ୍କ କହିବାନୁଯାୟୀ ପୂର୍ବରୁ ବାତ୍ୟା ରେ ଯାହା ସେମାନଙ୍କ ର କ୍ଷତିଗ୍ରସ୍ତ ହୋଇଥିଲା, ସରକାର ସେମାନଙ୍କ ର କ୍ଷତିପୂରଣ ବାବଦକୁ କିଛି ସାହାର୍ୟ୍ୟ ସହାୟତା କଲେ ନାହିଁ। ବର୍ତ୍ତମାନ ଚଳିତ ବର୍ଷ ସେହିପରି ଡ୍ୟାମ ପାଣି ପଶି ଲୋକମାନଙ୍କ ଜମିରେ ଫସଲ ସବୁ ନଷ୍ଟ ହୋଇଯାଇଛି ତଥାପି ପ୍ରଶାସନ ସବୁ ଜାଣିଶୁଣି ନୀରବ ରହୁଛି। ବିଛିନାଞ୍ଚଳବାସୀ ଙ୍କ କହିବା କଥା କି ଯଦି ଭୁବନେଶ୍ୱର, ପୁରୀ କିମ୍ବା କଟକ ରେ ବାତ୍ୟା ହେଲେ ପ୍ରଭାବିତ ଲୋକମାନଙ୍କୁ ସରକାର ସାହାର୍ୟ୍ୟ ସହାୟତା କରୁଛନ୍ତି। କିନ୍ତୁ ବିଛିନାଞ୍ଚଳବାସୀ ଆଜି ପର୍ୟ୍ୟନ୍ତ ସବୁବେଳେ ହୀନ ଦୃଷ୍ଟି ରେ ଦେଖିଆସୁଛନ୍ତି ବୋଲି ବିଛିନାଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ତେଣୁ ଗତକାଲି ବିଛିନାଞ୍ଚଳ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ହଜାର ହଜାର ନିରୀହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ନ୍ୟାୟ ଦାବିରେ ଏହି ପ୍ରଜାମେଳି କରିଥିଲେ। ଏବଂ ଏହି ପ୍ରଜାମେଳିରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଜିଲ୍ଲାର ୬ ଟି ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଏହି ପ୍ରଜାମେଳି ରେ ଯୋଗ ଦେଇଥିଲେ ଏବଂ ବିଛିନାଞ୍ଚଳବାସୀ ଙ୍କୁ ସହାୟତା ର ହାତ ବଢାଇଥିଲେ, ସେମାନଙ୍କ ଫସଲ ମଧ୍ୟରେ ପାଣି ପଶି ଚଳିତ ବର୍ଷ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ପାଇଁ ବିରି, ମାଣ୍ଡିଆ, କୋଳଥ, ମୁଗ, କାନ୍ଦୁଲ ଆଦି ସେହି ସରପଞ୍ଚ ଓ ସମିତିସଭ୍ୟ ମାନେ ସେମାନଙ୍କ ଗ୍ରାମରୁ ଆଣିଥିଲେ।

ତେଣୁ ଆନ୍ଧ୍ରପ୍ରଦେଶ ସବୁ ପ୍ରକାର ସାହାର୍ୟ୍ୟ ସହାୟତା ସେମାନଙ୍କୁ ଯୋଗାଉଥିବାରୁ ସେମାନେ ଆନ୍ଧ୍ର ରେ ମିଶିବାକୁ ଚାହୁଁଥିବା ଜଣାପଡିଛି । ଯଦି ଆଗାମୀ ଦିନ ରେ ଏହିପରି ସେମାନଙ୍କୁ ଅଣଦେଖା କରାଯାଏ ତାହେଲେ ସେମାନେ ଆନ୍ଧ୍ର ରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଏହି ପ୍ରଜାମେଳି ପ୍ରତ୍ୟକ୍ଷ ଭାବେ ନକ୍ସଲମାନଙ୍କର ହାତ ଥିବା ଜଣାପଡିଛି।