ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିବିନା ସ୍ଥିତ ବେଆଇନ ଭାବେ ଚାଲୁଥିବା ଶିବାଏଗ୍ରୋ ରାଇସ ମିଲକୁ ସିଲ କରାଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ତତ୍ପରତା ଦେଖାଇ ଚଢ଼ଉ କରି ତଦନ୍ତ ଆରମ୍ଭ କରିଛି । ମିଲ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ଯୋଗାଣ ବିଭାଗ ଦେଖିଥିଲା । ପରେ ମିଲର ସବୁ ଦସ୍ତାବେଜକୁ ଜବତ କରି ଟିଟିଲାଗଡ଼ ଯୋଗାଣ ବିଭାଗ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ସଇଁନ୍ତଲା ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସ ଓ ସଇନ୍ତଲା ପୁଲିସ ପ୍ରଶାସନକୁ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କଠୁ ଖବର ପାଇ ଯୋଗାଣ ବିଭାଗ ମିଲକୁ ଆସି ନାମକୁ ମାତ୍ର ଚଢ଼ଉ କରିଥିଲା । ପୁଣି ଉପଜିଲ୍ଲାପାଳ ଖବର ପାଇ ସମଗ୍ର ମିଲ ପରିସରକୁ ସିଲ କରିବା ପାଇଁ ସଇଁନ୍ତଲା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବା ଏଗ୍ରୋ ରାଇସ ମିଲର ଅରୁଆ ଚାଉଳ ଗୋଟିଏ ଗୋଦାମ ଏବଂ ଉସୁନା ଚାଉଳର ୨ଟି ଗୋଦାମକୁ ସିଲ କରାଯାଇଥିଲା । ଅସୁଧା ଉପାୟରେ ବ୍ୟାପକ ଧାନ ଏବଂ ଚାଉଳ କଳା ବଜାର କରିବା ସହ ସରକାରଙ୍କ ରାଜକୋଷକୁ ପରୋକ୍ଷରେ ସମ୍ପୃକ୍ତ ମିଲ ମାଲିକ ଲୁଟ କରିଥିବା ଅନୁମାନ କରାଯାଉଛି । ତେବେ ମିଲରେ କେତେ ପରିମାଣରେ ଧାନ ଓ ଚାଉଳ ଗଚ୍ଛିତ ରହିଛି ତାହା ଓଜନ ପରେ ଜଣାପଡ଼ିବ ବୋଲି ଟିଟିଲାଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି । ଅନ୍ୟପଟେ ମିଲ ମାଲିକ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇ ଥିବାବେଳେ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
