ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପଞ୍ଚାୟତ କମ୍ୟୁନିଟି ହଲରେ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ପଞ୍ଚାୟତ ସମିତି ମୁନିଗୁଡ଼ା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାମାଜିକ ସୁରକ୍ଷା ଭାରାପ୍ରାପ୍ତ ଅଧିକାରୀ ମୁନା ତାଡ଼େଙ୍ଗିଙ୍କ ସଭାପତିତ୍ୱ ଓ ସହକାରୀ କଳ୍ପନା ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନିଗୁଡ଼ା ବିଡ଼ିଓ ପ୍ରିତମ କୁମାର ତନ୍ତୀ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଂଚଳ ମହାପାତ୍ର ଓ ସିଡିପିଓ ଡାଳିମ୍ବ ନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏପରି ୧୪ଟି ଶିବିର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ବିଭିନ୍ନ ବ୍ଲକରେ ଆୟୋଜନ କରାଯିବା ନେଇ ସ୍ଥିର ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା, ଅନଲାଇନ୍ ପ୍ରମାଣ ପତ୍ର ମିଳିବା ସହିତ ଶ୍ରବଣ ଯନ୍ତ୍ର, ୨ଜଣଙ୍କୁ ଚେନ ପୁଲ ଚେୟାର, ଜଣଙ୍କୁ ହୁଇଲ ଚେୟାର, ଜଣଙ୍କୁ ଟ୍ରାଇସାଇକେଲ, ୨ ଜଣଙ୍କୁ କ୍ରଚେସ ଓ ଅନ୍ୟାନ୍ୟ ଭିନ୍ନକ୍ଷମ ସାରଞ୍ଜାମ ଓ ଔଷଧ ବଣ୍ଟାଯାଇଥିଲା । ସମୁଦାୟ ୧୨୦ ଜଣ ପୁରୁଷ ଓ ମହିଳା ଏହି ଶିବିରରେ ସେମାନଙ୍କ ନାମ ପଞ୍ଜିକରଣ କରି ଅଭିଜ୍ଞ ଚିକିତ୍ସକଙ୍କ ଦ୍ୱାରା ରୋଗ ଏବଂ ଭିନ୍ନକ୍ଷମ ଜନିତ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଚକ୍ଷୁ ବିଶେଷଜ୍ଞ ଡା. ଏମ. ସୁରେଶ କୁମାର, ଶଲ୍ୟ ବିଶେଷଜ୍ଞ ଡା.ଏଲ କେ ସ୍ୱାମୀ, ଚକ୍ଷୁ,କର୍ଣ୍ଣ,ନାସା ଓ ଗଳା ବିଶେଷଜ୍ଞ ଡା.ସଂଘମିତ୍ରା ପାତ୍ର, ଅଡିଓଲୋଜିଷ୍ଟ ସୁପ୍ରଭା ପଣ୍ଡା, ଫାର୍ମାସି ଅଫିସର ଜଗନ୍ନାଥ ନାୟକ ପ୍ରମୁଖ କୋରାପୁଟ ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବାବେଳେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସନ୍ତୋଷ ସାହୁ ଓ ଫାର୍ମିଶିଷ୍ଟ ଅଶୋକ ସାହୁ ଭିନ୍ନକ୍ଷମଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ଶ୍ରବଣ ବାଧିତ ଜନିତ ଭିନ୍ନକ୍ଷମଙ୍କ ପରୀକ୍ଷଣ ପରେ ସେମାନଙ୍କ ନାମ ପଞ୍ଜିକରଣ ହୋଇଥିଲା । ସେମାନଙ୍କୁ ୧୫ ଦିନ ମଧ୍ୟରେ ଶ୍ରବଣ ଯନ୍ତ୍ର ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ଜରିଆରେ ମିଳିଯିବ ବୋଲି ସୂଚନା ମିଳିଛି । ସେହିପରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ପାତ୍ର, ସୁନିଲ ଯାଦବ, ପ୍ରଭାକର ନାଲା, ସୁରଜ ମଲ୍ଲିକ, ବିପିଏମ୍ କ୍ଷିରୋଦ ଭୂୟାଁ, ବିଆରପି କ୍ରିଷ୍ଣା ଜୀବନ ପରିଡ଼ା, ରବୀନ୍ଦ୍ର ସେଲେକା ଓ ମଙ୍ଗୁଲ ପିଡ଼ିକାକାଙ୍କ ସହିତ ସମସ୍ତ ବ୍ଲକ କର୍ମଚାରୀ ଓ ପଞ୍ଚାୟତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଅନଲାଇନ ଆବେଦନ, ଆଧାର ପଞ୍ଜିକରଣ, ଜେରକ୍ସ ଓ ପାସପୋର୍ଟ ଫଟୋ ଉଠା ମାଗଣାରେ ବ୍ୟବସ୍ଥା କରାଯାଇଥିଲା ।