ଭାଗିରଥୀଙ୍କ କୃତି ଜିବନୀ ପାଠ୍ୟକ୍ରମରେ ସ୍ଥାନିତ ହେଉ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସ୍ମୃତି ସଂସଦ ଆନୁକୂଲ୍ୟରେ ସାରସ୍ୱତ ସାଧକ ଭାଗିରଥୀ ପାତ୍ରଙ୍କ ୮୫ତମ ଜୟନ୍ତୀ ସମାରୋହ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ସଂଜୀବ ଦୁବେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଗୀରଥିଙ୍କ ସୃଷ୍ଟି ଓ ସଂଗଠନକୁ ପ୍ରେରଣାଦାୟୀ ବୋଲି କହିବା ସହ ତାଙ୍କ ଜିବନୀ, କୃତିକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ କରିବା ପାଇଁ ଉଦ୍ୟମ କରାଯାଉ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପରିବାର ଅଦାଲତ ବିଚାରପତି ତଥା କବୟିତ୍ରୀ ଡା. ମୁନ୍ ରାଣୀ ମିଶ୍ର ଯୋଗଦେଇ ଭାଗୀରଥି ଓଡ଼ିଶା ମାଟିର ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଅନେକ ଶ୍ରମ ସ୍ୱୀକାର କରିଥିବା କଥା ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗଦେଇ ଭାଗିରଥୀ ପାତ୍ର ନବରଙ୍ଗପୁର ମାଁଙ୍କ ଜଣେ କୃତି ସନ୍ତାନ ଓ ତାଙ୍କ କୃତି ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନନୀୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, କବି ନାରାୟଣ ପଣ୍ଡା, ସମ୍ମାନନୀୟ ବକ୍ତାଭାବେ ଡା. ବିଜୟ କୁମାର ମିଶ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଉପଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା ଯୋଗ ଦେଇଥିଲେ । ଭାଗିରଥୀଙ୍କ ହାତଲେଖା ମାସିକ ପତ୍ରିକା “ଶୈଶବ, ତାଙ୍କ ମାନସ ସନ୍ତାନ “ନବଜାଗରଣ ସାହିତ୍ୟ ସଂସଦ’ ଓ ତାଙ୍କ ଉଦ୍ୟମରେ ସ୍ଥାପିତ ଜିଲ୍ଲାର ପ୍ରଥମ ପାଠାଗାର “ମଧୁସୂଦନ ପାଠାଗାର’ ସମ୍ବନ୍ଧରେ ୁପସ୍ଥିତ ଅତିଥିବୃନ୍ଦ ଆଲୋଚନା କରିଥିଲେ । ଚଳିତ ବର୍ଷର ଭାଗିରଥୀ ସମ୍ମାନ କବି ଭାବଗ୍ରାହୀ ଦାଶ ଓ ସମାଜସେବା ସମ୍ମାନ କାଦମ୍ବିନୀ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ସୁନନ୍ଦିନୀ ତ୍ରିପାଠୀ ଓ ଆଇନଜୀବୀ କିଶୋରୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ । ଭାବଗ୍ରାହୀ ଦାଶଙ୍କ ଅସୁସ୍ଥତା ଯୋଗୁ ତାଙ୍କ ବୋହୂ ସୁଜାତା ଓ ପୁଅ ଆନନ୍ଦ ସମ୍ମାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ଡା. ମୁନ୍ ରାଣୀ ମିଶ୍ରଙ୍କ ୨ଟି କବିତା ସଂକଳନ “ଲୁହର ଛାଇ’ ଓ “ସବୁ ଋତୁ ଫଗୁଣ ଫଗୁଣ’ ଏବଂ ଭାବଗ୍ରାହୀ ଦାଶଙ୍କ ଭଜନ ଭକ୍ତି କବିତା ସଂକଳନ “ସମର୍ପଣ’ ଅତିଥିମାନେ ଲୋକାର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଲ୍ଲଭ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଅଖିଳ ଭଟ୍ଟ ସ୍ୱାଗତ ଭାଷଣ ଓ ଦୁର୍ଗା ପ୍ରସାଦ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁଗଳ ତ୍ରିପାଠୀ, ଆନନ୍ଦ ଦାଶ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶ ବନ୍ଦନା ପରିବେଷଣ କରାଯାଇଥିଲା ଓ ପରେ ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସ୍ମୃତି ସଂସଦର ନନ୍ଦ କିଶୋର ପାଢ଼ୀ, ସନ୍ଧ୍ୟା ରାଣୀ ପାତ୍ର, ପଦ୍ମାଳୟା ପାତ୍ର, ଗଣେଶ୍ୱର ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ସାନୁଜ କୁମାର ପାତ୍ର, ଶ୍ରୀନିବାସ ପାତ୍ର, ବୃନ୍ଦାବନ ପାଢ଼ୀ, ନମିତା ପାତ୍ର, ମନୋରଞ୍ଜନ ତ୍ରିପାଠୀ, ଆଇନଜୀବୀ ମିନାକ୍ଷୀ ପାଢ଼ୀ, ଧରିତ୍ରୀ ପଣ୍ଡା, ପି. ରବିକାନ୍ତ ରଘୁରାମ ଓ ରବି ଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।