ବେଲପାହାଡ଼ରେ ବିଜେଡିର ଟାଉନସ୍ତରୀୟ କର୍ମୀ ସମ୍ମିଳନୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଗାମୀ ପୌରନିର୍ବାଚନ ପାଇଁ ବେଲପାହାଡ ମଣ୍ଡଳରେ ବିଜେଡି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବେଲପାହାଡ ଫାଟକସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଏକ ଟାଉନସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀ ମହାନ୍ତି ବେଲପାହାଡ ପୌରାଞ୍ଚଳର ସମସ୍ତ ୱାର୍ଡର କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ଲୋକଙ୍କ ସୁଖଦୁଃଖରେ ତାଙ୍କ ସହିତ ଛିଡା ହୁଅନ୍ତୁ। ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କ ସେବା କରନ୍ତୁ। ବେଲପାହାଡର ଉନ୍ନତି ତଥା ସଂଗଠନର ବିକାଶ ପାଇଁ କାର୍ଯ୍ୟ କରନ୍ତୁ।

ଏହାସହ ପୌରାଞ୍ଚଳରେ ଯଦି କୌଣସି କାର୍ଯ୍ୟରେ ଦୁର୍ନୀତି ହେଉଥାଏ ତେବେ ବିଜୁ ଜନତା ଦଳର କର୍ମୀମାନେ ସେଥିରେ ଅଙ୍କୁଶ ଲଗାନ୍ତୁ ବୋଲି ବିଧାୟକ କିଶୋର ମହାନ୍ତି କହିଛନ୍ତି। ଏହି ଅବସରରେ ବରିଷ୍ଠ ବିଜେପି କର୍ମୀ ଶ୍ୟାମ ଶତପଥୀ, ବେଲପାହାଡ ବିଜେଡି ଟାଉନ ସଭାପତି କୈଳାସ ନାୟକ, ଜିଲ୍ଲା ଉପସଭାପତି ଶମ୍ଭୁ ମହାନ୍ତି, ରାଜେଶ ଭୋଇ, ରଞ୍ଜିତା ବିଶ୍ୱାଳ ପ୍ରମୁଖଙ୍କ ସହ ବିଜେଡି ସଦସ୍ୟମାନେ ଉପସ୍ଥିତ ଥିଲେ।