ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିମିୟତା ନେଇ ବିଜେପିର ବେଲପଡ଼ା ବ୍ଲକ ଘେରାଉ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିମିୟତା ସହ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ନାଁ ବାଦ ଦେଇ ଦଳୀୟ କର୍ମୀଙ୍କୁ ଦେଉଥିବାରୁ ଏହାର ପ୍ରତିବାଦରେ ବିଜେପି ବେଲପଡ଼ା ବ୍ଲକ ଘେରାଉ କରିଛି । ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୁଦ୍ଧରେ ସ୍ଥାନୀୟ ନବୋଦୟ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି କରି ବେଲପଡ଼ା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ବିଜେପି କର୍ମୀ ଅଂଶଗ୍ରହଣ କରି ବେଲପଡ଼ା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ବ୍ୟାପକ ଅନିମିୟତା ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଉକ୍ତ ବ୍ଲକର ୨୪ଟି ପଞ୍ଚାୟତରେ ଅସନ୍ତୋଷ ଦେଖାଦେଇଛି । ଏଥିରେ ୨୫ ଓ ୨୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଶବ୍ଦ ମିର୍ଧା ଓ ଅନିମା ଦାସଙ୍କ ସହ ମଣ୍ଡଳ ଜୋନ ସଭାପତି କୁନୁ ମୁଣ୍ଡା, ବେଲପଡ଼ା ଜୋନ ସଭାପତି ତେଜରାଜ ବେହେରା, ଗମ୍ଭାରୀ ଜୋନ ସଭାପତି ପରମା ବେହେରା, ପ୍ରଶାନ୍ତ ଦାସ ଓ ନୀଳ ପାଣିଗ୍ରାହୀ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବିଡ଼ିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଦାବୀପତ୍ର ଗ୍ରହଣ କରିଥିଲେ ।