ବେଜୋସ୍‌ଙ୍କ ବିଦାୟ: ସ୍ଥାପନା ଦିବସରେ ନେବେ ଅବସର

ନୂଆଦିଲ୍ଲୀ,ଏଜେନ୍ସି: ଆମାଜନ୍‌ର ସିଇଓ ଜେଫ୍ ବେଜୋସ୍ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ୫ ଜୁଲାଇରେ କମ୍ପାନୀର ସିଇଓ ପଦରୁ ଅବସର ନେବେ। ସୂଚନାଯୋଗ୍ୟ ଯେ ଦୀର୍ଘ ୨୭ ବର୍ଷ ତଳେ ଠିକ୍ ଏହି ଦିନରେ ଅର୍ଥାତ୍ ୧୯୯୪ ମସିହା ୫ ଜୁଲାଇରେ ସେ କମ୍ପାନୀର ସ୍ଥାପନା କରିଥିଲେ। ଦୀର୍ଘ ୨୭ ବର୍ଷ ଧରି ସେ ଏହି ପଦରେ ରହିଥିଲେ। ଇଣ୍ଟର୍‌ନେଟ୍ ଜରିଆରେ ପୁସ୍ତକ ବିକ୍ରିରୁ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ୫୭ ବର୍ଷୀୟ ବେଜୋସ୍‌ଙ୍କର ମୋଟ୍ ସମ୍ପତ୍ତି ୧୮୯ ଅରବ ଡଲାର୍ ରହିଛି। ସେ କମ୍ପାନୀର ଏକ୍‌ଜିକ୍ୟୁଟିଭ୍ ଚେୟାର୍‌ମାନ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ହଲିଉଡ୍ ଷ୍ଟୁଡିଓ ମେଟ୍ରୋ ଗୋଲ୍‌ଡେନ୍ ମେୟର୍ ଷ୍ଟୁଡିଓକୁ ୮.୪୫ ଅରବ ଡଲାର୍‌ରେ କିଣିବେ ବୋଲି ସେ ଗତ ବୁଧବାରକୁ ସୂଚନା ଦେଇଥିଲେ। ୨୦୨୦ରେ ବେଜୋସ୍‌ଙ୍କର ୧ ମିନିଟ୍‌ର ଆୟ ୧.୮୧ ଲକ୍ଷ ଟଙ୍କା ଥିଲା। ସେ ସର୍ବଦା ସମୟ ଠାରୁ ଆଗରେ ରହିଥାଆନ୍ତି ବୋଲି ତାଙ୍କ ସମ୍ପର୍କୀୟମାନେ କହନ୍ତି। ପୃଥିବୀ ସୀମିତ, ଦୁନିଆର ଜନସଂଖ୍ୟା ଓ ଅର୍ଥ ବ୍ୟବସ୍ଥା କ୍ରମାଗତ ଭାବେ ବଢ଼ିଚାଲିଲେ ଅନ୍ତରୀକ୍ଷକୁ ଯିବା ଏକମାତ୍ର ବିକଳ୍ପ ରହିଯିବ ବୋଲି ୧୯୮୨ରେ ସେ ହାଇସ୍କୁଲ୍ ପଢ଼ିବା ବେଳେ କହିଥିଲେ।