ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର,ଏନ୍ଏନ୍ଏସ୍: ମନ୍ଦିର ପରିସରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଭାଲୁଟି ଗ୍ରାମର ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରି ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିଲା। ଭାଲୁଟି କାହାର କିଛି କ୍ଷତି କରିନଥିଲେ ହେଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭାଲୁକୁ ଦେଖିବାକୁ ସାହି ଲୋକ ଜମା ହୋଇଥିଲେ।

ଭାଲୁଟି ମନ୍ଦିର ପାଚେରି ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା। ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା। ଭାଲୁଟି ଖାଦ୍ୟ ଅନ୍ୱେଷଣରେ ମନ୍ଦିର ପରିସରକୁ ପଶି ଆସିଥିବା କୁହାଯାଉଛି। ଗତ କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମକୁ ଭାଲୁ ପଶି ଆସିଥିବା ଜଣାପଡ଼ିଛି। ତେବେ ଭାଲୁମାନେ କାହାର କିଛି କ୍ଷତି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଛି।