ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର: ନିରଞ୍ଜନ ପଟ୍ଟନାୟକ

ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ କଂଗ୍ରେସର ୯ ଜଣିଆ କମିଟି ଗଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବନ୍ୟା ବିପତ୍ତି ସମୟରେ ଲୋକଙ୍କୁ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ୯ ଜଣିଆ କମିଟି ଗଠନ କରାଯାଇଛି। ଅପରପକ୍ଷେ ବନ୍ୟା ପୀଡ଼ିତଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କଂଗ୍ରେସ ପକ୍ଷରୁ ଗଠିତ ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ ସ୍ଥାନ ପାଇଛନ୍ତି। ଏମାନେ ପ୍ରଭାବିତ ଜିଲ୍ଲାରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବେ। ବିଶେଷକରି ରିଲିଫ ଯୋଗାଣ ନେଇ ଏହି କମିଟି କେନ୍ଦ୍ର, ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ ଏହି କମିଟି ଜିଲ୍ଲାୱାରୀ ରିପୋର୍ଟ ଏଆଇସିସି ଓଡ଼ିଶା ଇନଚାର୍ଜ ଓ ପିସିସି ସଭାପତିଙ୍କୁ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସେହିଭଳି କରୋନା ବପତ୍ତି ଓ ବନ୍ୟା ବିଭୀଷିକା ସମୟରେ ରାଜ୍ୟବାସୀଙ୍କର ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ତୁରନ୍ତ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ବର୍ତ୍ତମାନ ସମଗ୍ର ରାଜ୍ୟ କରୋନାରେ ପ୍ରଭାବିତ ହୋଇଥିବା ବେଳେ ୨୦ ଜିଲ୍ଲା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଉଭୟ କରୋନା ଓ ବନ୍ୟା ଦାଉରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାରଙ୍କର ସାହାଯ୍ୟ ରାଶି ପ୍ରତି ପରିବାର ପିଛା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅତ୍ୟନ୍ତ ନଗନ୍ୟ ଓ ସମୁଦ୍ରକୁ ଶଙ୍ଖେ ଭଳି।

ଓଡ଼ିଶା ସରକାର ବାସ୍ତବ ସ୍ଥିତିକୁ ସଠିକ୍ ଭାବେ ଅନୁଧ୍ୟାନ କରି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଖରେ ତୁରନ୍ତ ଉପଯୁକ୍ତ ପରିମାଣର ସାହାଯ୍ୟ ରାଶି ପହଞ୍ଚାଇବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ବର୍ତ୍ତମାନର ବିପତ୍ତି ସମୟରେ ସ୍କୁଲ ଫିସ୍ ଛାଡ଼ କରାଯାଉ ଏବଂ ଏ ସମ୍ପର୍କରେ ରାଜ୍ୟ ସରକାର ନିଜର ସ୍ପଷ୍ଟ ମତ ଓଡ଼ିଶାବାସୀଙ୍କ ଆଗରେ ରଖିବାକୁ ସେ ଦାବି କରିଛନ୍ତି।