ଦେବଗଡ଼ରେ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ଆହାର କେନ୍ଦ୍ରକୁ ଚାଲିଲା ବ୍ୟାଟେରୀ ଚଳିତ ଗାଡ଼ି

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ରେ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ଆହାର କେନ୍ଦ୍ରକୁ ରାଜ୍ୟର ପ୍ରଥମ ବ୍ୟାଟେରୀ ଚଳିତ ଗାଡ଼ ଚାଲିଛି। ଦେବଗଡ଼ ପୌର ପରିଷଦ ପକ୍ଷରୁ ପରିଚାଳିତ ଆହାର କେନ୍ଦ୍ରକୁ ରନ୍ଧା ଖାଦ୍ୟ ପରିବହନ ପାଇଁ ଗତ କିଛି ବର୍ଷ ଧରି ଘରୋଇ ଗାଡ଼ି ବ୍ୟବହାର କରାଯାଉ ଥିବାବେଳେ ଏବେ ଏହି ଖାଦ୍ୟ ପରିବହନ ଦାୟିତ୍ତ୍ୱ ମିଶନ ଶକ୍ତି ମହିଳା ନିଜ ହାତକୁ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ପୌର ପରିଷଦ ପକ୍ଷରୁ ପୁରୁଣା ଆହାର କେନ୍ଦ୍ର ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଓ ସିଏମଏମ ଅଭିଷେକ ମିଶ୍ରଙ୍କ ଉପସ୍ଥିତିରେ ମିଶନ ଶକ୍ତିର ମା’ ଭଗବତୀ ସଂଘ ମହିଳାଙ୍କୁ ଏକ ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରାଯାଇଥିଲା। ସଂଘର ସଦସ୍ୟା ସଭ୍ୟା ପାତ୍ର ଏହି ବ୍ୟାଟେରୀ ଚାଳିତ ଅଟୋର ଚାଳକ ରହିଥିବାବେଳେ ରାଜ୍ୟର କୌଣସି ଆହାର କେନ୍ଦ୍ରକୁ ରନ୍ଧା ଖାଦ୍ୟ ପରିବହନ ପାଇଁ ମିଶନ ଶକ୍ତି ମହିଳା ଦାୟିତ୍ୱ ନେବା ରାଜ୍ୟରେ ପ୍ରଥମ ବୋଲି ଜଣାପଡ଼ିଛି ।