ବଦଳିଲେ ବାରିପଦା ବିଡିଓ ସରୋଜ କୁମାର ଦାଶ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ବ୍ଲକର ବିବାଦୀୟ ବିଡିଓ ସରୋଜ କୁମାର ଦାଶଙ୍କ ବଦଳି ହୋଇଛି। ଜୁନ୍ ୧୯ରେ ବିଡିଓ ଶ୍ରୀ ଦାଶ ଆକୁଳ ଚନ୍ଦ୍ର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେହିପରି ବାରିପଦା ପୌରପରିଷଦର ଅତିରିକ୍ତ ଦାୟିତ୍ୱ ମଧ୍ୟ ବିଡିଓ ଶ୍ରୀ ନାଏକଙ୍କୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ବିଜ୍ଞପ୍ତି ଅନୁସାରେ ବାରିପଦା ବ୍ଲକ ବିଡିଓ ସରୋଜ କୁମାର ଦାଶଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବିର୍ଶା ବ୍ଲକ୍ ବିଡିଓ ଭାବେ ବଦଳି କରାଯିବା ସଙ୍ଗେସଙ୍ଗେ ଗତ ମେ ମାସ ୫ ତାରିଖ ପୂର୍ବାହ୍ନଠାରୁ ସେଣ୍ଟ୍ରାଲ ରିଲିଫ କରାଯାଇ ୮ ତାରିଖ ଦିନ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହାପରେ ସେହି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୯୭୮୩/୧୧.୦୬.୨୦୨୦ ଆଦେଶ ନାମା ଅନୁସାରେ ଆକୁଳଚନ୍ଦ୍ର ନାଏକ ବାରିପଦା ବ୍ଲକ୍ ବିଡିଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ, ଓଏଏସ୍ ସରୋଜ କୁମାର ଦାଶ ବାରିପଦା ବ୍ଲକର ବିଡିଓ ଭାବେ ୨୦୧୭ ମେ ୪ରେ ଦାୟିତ୍ୱ ଭାର ଗ୍ରହଣ କରିବା ସହିତ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂହଙ୍କ ବଦଳି ପରେ ୨୦୧୮ ଜୁନ୍ ୧୪ଠାରୁ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଆସୁଥିଲେ। ଏହି ସମୟରେ ବାରିପଦା ବ୍ଲକ୍ ଓ ପୌରପରିଷଦରେ ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ନେଇ ଦିନକୁ ଦିନ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ। ବାରିପଦା ବ୍ଲକର ବିଭିନ୍ନ ପିଏସ ସଦସ୍ୟମାନଙ୍କ ଅଭିଯୋଗ ଆଧାରରେ ବିଡିଓ ଶ୍ରୀଦାଶ ବ୍ଲକରେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି। ସେହିପରି ବ୍ଲକ୍ରେ କରୋନା ମୁକାବିଲା କ୍ଷେତ୍ରରେ ବିଫଳ ହୋଇଥିବାର ସଙ୍ଗୀନ ଆରୋପ ରହିଥିଲା।