ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀ ଓ ଅନ୍ୟ ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଯଦୁନାଥପୁର ବେଲପାହାଡ଼ି ଗ୍ରାମର ସୁରେଇ ହାଁସଦାଙ୍କ ବାପା ଚାନ୍ଦରାୟ ହାଁସଦା (୭୦)ଙ୍କର ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବାରିପଦା ମେଡିକାଲରେ ଚିକିତ୍ସା ପାଇଁ ଆଜି ପୂର୍ବାହ୍ନରେ ଭର୍ତ୍ତି କରାଇଥିଲେ । ଡାକ୍ତର ରୋଗୀକୁ ଦେଖିବା ପରେ ଔଷଧ ଲେଖିଥିଲେ। ମାତ୍ର ଔଷଧ ନେଇ ଆସିବାବେଳକୁ ତାଙ୍କୁ ଏକ୍ସରେ ପାଇଁ ପଠାଇ ଦିଆଯାଇଥିଲା। ସେଠାରେ ପ୍ରାୟ ଗୋଟାଏ ଘଣ୍ଟା ପରେ ଚାନ୍ଦରାୟ ହାଁସଦାଙ୍କର ମୃତ୍ୟୁ ହୋଇଯାଇଥିଲା।
ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କ୍ଷତିପୂରଣ ଦାବିରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟ ଫାଟକ ସାମ୍ନାରେ ଶବକୁ ରଖି ଧାରଣା ଦେଇଥିଲେ। ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ପରେ ମୃତଦେହକୁ ଶବଗୃହକୁ ନିଆଯାଇଥିଲା। ସେହିପରି ଜାମଦା ବ୍ଲକ ମଧୁପୁର ଗ୍ରାମର ବିଶ୍ୱନାଥ କିସ୍କୁଙ୍କ ସ୍ତ୍ରୀ ରାଣୀ କିସ୍କୁଙ୍କର ଗତ ଜୁନ ୩୦ ବିଳମ୍ବିତ ରାତିରେ ପ୍ରସବଯନ୍ତ୍ରଣା ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରାତିରେ ହସ୍ପିଟାଲରେ କୌଣସି ଡ଼ାକ୍ତର ନଥିବାରୁ ରାଣୀଙ୍କର ପ୍ରସବ କରାଗଲା ନାହିଁ। ଆଜି ପୂର୍ବାହ୍ନରେ ଡ଼ାକ୍ତର ଆସିବାପରେ ସ୍ତ୍ରୀ ରାଣୀକୁ ଓଟିକୁ ନିଆଯାଇ ଥିଲା ଏବଂ ଏକ ମୃତ ଶିଶୁ କନ୍ୟାକୁ ବାହାର କରାଯାଇଥିଲା।