ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ ଘଟଣା : ୩ ଲକ୍ଷ କ୍ଷତିପୂରଣ ଦେବାକୁ ଏନଏଚଆରସିର ନିର୍ଦ୍ଦେଶ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ବାଘମୁଣ୍ଡା ଗ୍ରାମର ଘନଶ୍ୟାମ ହୋଙ୍କ ପୁଅ ସଦା ହୋ(୧୬)ଙ୍କ ଗତ ୨୦୧୯ ଅଗଷ୍ଟ ୧୬ରେ ଅଳ୍ପ ଉଚ୍ଚରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ନେସ୍କୋ ପକ୍ଷରୁ କ୍ଷତିପୂରଣ ବାବଦରେ ଘନଶ୍ୟାମଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଭବାନୀପାଟଣାର ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଏକ ମାମଲା ରୁଜୁ କରାଯିବା ସହ ନେସ୍କୋକୁ ଜବାବ ରଖିବାକୁ ନୋଟିସ ଜାରି କରାଯାଇଥିଲା। ଏହାପରେ ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ ଖୁଣ୍ଟ ଢଳି ପଡିବାରୁ ୨୧ କେଭି ବିଦ୍ୟୁତ ତାରଟି ତଳକୁ ଓହଳି ଆସିଥିଲା । ଏଥି ନିମନ୍ତେ ନେସ୍କୋ ଦୋଷୀ ନୁହନ୍ତି ଅଥବା ବିଦ୍ୟୁତ ବିଭାଗର ଅବହେଳା କାରଣରୁ ହୋଇନାହିଁ । ଏଣୁ ଅଧିକ କ୍ଷତିପୂରଣ ରାଶି ଅନୁମୋଦନ କରା ନ ଯିବା ନିମନ୍ତେ ନେସ୍କୋ କମିଶନଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ ଖାରଜ କରାଯାଇଛି । ଏଥି ସହିତ ଆଜି ଏନଏଚଆରସୀଙ୍କ ପକ୍ଷରୁ ନେସ୍କୋକୁ ଉତ୍ତରଦାୟୀ କରାଯାଇ ମୃତ ସଦା ହୋଙ୍କ ପରିବାରକୁ ୧୫ ଜୁଲାଇ ୨୦୨୧ ମଧ୍ୟରେ ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।