ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ, ପୁଲିସ୍ ଉପସ୍ଥିତିରେ ହେଲା ଶବ ସତ୍କାର

ବାରିପଦା,ଏନ୍ଏନ୍ଏସ୍: ବାରିପଦା ସହରରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜଣେ ବିଚାରାଧୀନ ମହିଳାଙ୍କ ମୃତ୍ୟୁ ପରେ ଜେଲରୁ ତାଙ୍କ ସ୍ୱାମୀ ଓ ପୁଅ ଆସି ଶବ ସତ୍କାର କରି ପୁଣି କାରାଗାରକୁ ଫେରିଥିଲେ। ସୂଚନା ଅନୁସାରେ, ନିଜ ସାନ ବୋହୂ ହତ୍ୟା ମାମଲାରେ ଜେଲରେ ଥିଲେ ମୃତକ ଗୀତା ରାୟ, ତାଙ୍କ ଦୁଇ ପୁଅ ଏବଂ ସ୍ୱାମୀ। ଗତ ମଙ୍ଗଳବାର ମୃତ୍ୟୁବରଣ କରିଥିବା ଗୀତା ରାୟ(୫୬)ଙ୍କ ଶବ ଏକପ୍ରକାର ଅସହାୟ ହୋଇପଡ଼ିଥିଲା। ଏନେଇ ଏମାନଙ୍କର ମକଦ୍ଦମା ଲଢୁଥିବା ଆଇନଜୀବୀ ସ୍ୱରଲିପି ଦାସ ପଟ୍ଟନାୟକ ଗୀତାଙ୍କ ଶବ ସତ୍କାର ପାଇଁ ମଙ୍ଗଳବାର ଏଡିଜେ-୧ କୋର୍ଟରେ ଆବେଦନ କରିଥିଲେ। ମାନ୍ୟବର କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇ ଖୁବ୍ କମ୍ ସମୟରେ ଅନୁମତି ପ୍ରଦାନ କରିଥିଲେ। ଶବ ସତ୍କାର ସମୟରେ ଜେଲରେ ଥିବା ମୃତକଙ୍କ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ ଆଜି ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ସମସ୍ତଙ୍କୁ ଶ୍ମଶାନକୁ ନିଆଯାଇଥିଲା। ସ୍ଥାନୀୟ ବାରୁଣୀ ଶ୍ମଶାନଘାଟରେ ଶବ ସତ୍କାର ପରେ ପୁଣି କାରାଗାରକୁ ଫେରିଛନ୍ତି ମୃତକଙ୍କ ଦୁଇ ପୁଅ ଏବଂ ସ୍ୱାମୀ।