କରୋନା ଯୁଦ୍ଧରେ ହାରିଗଲେ ଅଜୟ ପ୍ରଧାନ

ବାରିପଦା, ଏନ୍ଏନ୍ଏସ୍: କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଅଜୟ ପ୍ରଧାନ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼-୧୯ ମୁକାବିଲା ନିମନ୍ତେ ଜାରି ରହିଥିବା ସଂଗ୍ରାମରେ ପ୍ରମୁଖ ଭୂମିକାରେ ଥିଲେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର କନିଷ୍ଠ କିରାଣୀ ଅଜୟ କୁମାର ପ୍ରଧାନ(୪୫)। କରୋନା ସଂକ୍ରମିତମାନଙ୍କୁ ନେବା ଆଣିବା ପାଇଁ ନିୟୋଜିତ ହୋଇଥିବା ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ୱରେ ଥିଲେ । ମାତ୍ର ନିଜେ ସେହି କରୋନାରେ ଆକ୍ରାନ୍ତ ହୋଇ ଅଜି ଜୀବନ ଯୁଦ୍ଧରେ ପରାସ୍ତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଶ୍ରୀ ପ୍ରଧାନ ଚଳିତ ଡ଼ିସେମ୍ବର ୧୯ରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। -ଏହାପରେ ସେ ସ୍ଥାନୀୟ ବାଙ୍କିଶୋଳ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ୨୧ରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୟୂରଭଞ୍ଜ ଫାର୍ମାସିଷ୍ଟ ସଂଘ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏଥିସହିତ ଓଡ଼ିଶା ସରକାର ଶ୍ରୀ ପ୍ରଧାନଙ୍କୁ କରୋନା ଯୁଦ୍ଧା ଭାବେ ଘୋଷଣା କରି ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ମୟୂରଭଞ୍ଜ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଦାବି କରାଯାଇଛି।