ମେଡିକାଲ ପରିସରରୁ ଧଳା ଜହର ଜବତ, ଯୁବକ ଗିରଫ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କ୍ୟାମ୍ପସ ପରିସରରୁ ଆଜି ସାଢେ ତିନି ଗ୍ରାମ ଧଳା ଜହର ଜବତ ହେବାସହ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କାର୍ଡର ଏକ ଟିମ ଏବଂ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଆଜି ମିଳିତ ଚଢ଼ଉ କରାଯାଇ ଯୁବକକୁ ଗିରଫ କରାଯାଇଛି। ଯୁବକ ଜଣକ କଟକ ମାଲଗୋଦାମ ଥାନା କଲେଜ ସ୍କୋୟାର ସମାଧିପାଟଣା ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର(୨୯) ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି। ମେଡିକାଲ କଲେଜର ଶବ ବ୍ୟବଚ୍ଛେଦ ସେଣ୍ଟର ଏକ ନିଛାଟିଆ ସ୍ଥାନ ହୋଇଥିବାରୁ ରାତି ହେଲେ ଜନସାଧାରଣଙ୍କ ଚଳପ୍ରଚଳ ପ୍ରାୟତଃ ନ ଥାଏ। ଫଳରେ ଚୋରା ନିଶାଦ୍ରବ୍ୟ କାରବାରୀଙ୍କ ନିମନ୍ତେ ଏହା ଏକ ସେଫ୍ ଜୋନରେ ପରିଣତ ହୋଇଛି।