ଡ. ସ୍ମୃତିରଞ୍ଜନ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ଼ ଦ୍ୱାରା ସମ୍ମାନିତ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ତଖତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ତଥା ଜାତୀୟ ସେବା ଯୋଜନା ମୁକ୍ତ ଶାଖା କାର୍ଯ୍ୟକ୍ରମ ଅଧିକାରୀ ଡ. ସ୍ମୃତିରନ ଦାସ କରୋନା ମହାମାରୀ ସମୟରେ ସେବା ମୂଳକ ତ୍ୟାଗପୂତ ଓ ମାନବଧର୍ମୀ କାର୍ଯ୍ୟକ୍ରମକୁ ଉତ୍ସାହ ସହକାରେ ସମ୍ପାଦନ କରିଆସୁଥିବାରୁ ଇଣ୍ଡିଆନ ବୁକ ଅଫ୍ ରେକର୍ଡ  ଦ୍ୱାରା ସମ୍ମାନିତ ହୋଇଛନ୍ତି। ପୂର୍ବାଞ୍ଚଳ ଓଡ଼ିଶାରୁ ଉକ୍ତ ସମ୍ମାନ ପାଇବାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭାବେ ଡ. ଦାସ ଏକମାତ୍ର ବ୍ୟକ୍ତି। ଡ଼ଃଦାସ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ସହ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭାବେ ଅନେକ ସମାଜସେବା କାର୍ଯ୍ୟକ୍ରମ ସାଙ୍ଗକୁ ବୃକ୍ଷରୋପଣ, ରକ୍ତଦାନ ଶିବିରର ଆୟୋଜନ, ଦୁସ୍ଥ ଓ ଅସହାୟ ଜନତାଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେହିପରି ଡ଼ଃଦାସଙ୍କ ଶିକ୍ଷାଦାନ ପ୍ରଣାଳୀ, ଗବେଷଣାମୂଳକ କାର୍ଯ୍ୟ, ଯୁବବର୍ଗଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ ଓ ନିଷ୍ଠାପର ଜନସେବା ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛି।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ତାଙ୍କୁ ଶୁଭାଚ୍ଛା ଜଣାଇଛନ୍ତି। ତାଙ୍କର ଏହି ଗୌରବ ପ୍ରାପ୍ତି ପାଇଁ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଓଡ଼ିଶା ସରକାରଙ୍କ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗ ଡେପୁଟି ସେକ୍ରେଟେରୀ ଡ଼ଃ ସୁରେଖା ସୁନ୍ଦରୀ ସ୍ୱାଇଁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜିକା ଉଷା ଶତପଥୀ, ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶକ ସାଇଦା ନାୟକ, ମୟୂରଭଞ୍ଜ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଶୁଭେନ୍ଦୁ ଦାସ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଛନ୍ତି।