ମହାପ୍ରୟାଣ ଯୋଜନା ଫେଲ୍, ଜମି ବନ୍ଧକ ରଖି ଟ୍ରଲିରେ ସ୍ୱାମୀଙ୍କ ଶବନେଲେ ପତ୍ନୀ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଗୋବରା ଗ୍ରାମ ଦୁଃଖା ମାର୍ଣ୍ଡିଙ୍କୁ ଜ୍ୱର ହୋଇ ଅଧିକ ଦେହ ଖରାପ ହେବାରୁ ଗତକାଲି ସକାଳୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣ ୩ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ମୃତଦେହ ଘରକୁ ଗାଡ଼ିକରି ନେବାକୁ ପରିବାର ଲୋକ ସମର୍ଥ ନଥିଲେ। ଫଳରେ ବାଧ୍ୟ ହୋଇ ଶବ ପାଖରେ ରାତିସାରା ଜଗି ବସିଥିଲେ ଦୁଃଖା ମାର୍ଣ୍ଡିଙ୍କ ସ୍ତ୍ରୀ। ସକାଳୁ ବି ଡାକ୍ତରଖାନା ତରଫରୁ ଶବ ନେବା ପାଇଁ ବ୍ୟବସ୍ଥା କରାଯାଇ ନପାରିବାରୁ ଡାକ୍ତରଖାନା କର୍ମଚାରୀ ପରାମର୍ଶ ଦେଇଥିଲେ ଯେ ଯେମିତି ବି ହେଉ ବ୍ୟବସ୍ଥା କରି ଶବ ନେଇଯାଅ। ଦୁଃଖା ମାର୍ଣ୍ଡି ଜଣେ ଦିନ ମଜୁରିଆ ଓ ଅର୍ଥାଭାବ ହେତୁ ସ୍ୱାମୀଙ୍କ ଶବ ଭଡାଗାଡ଼ିରେ ନେଇପାରି ନଥିଲେ। ପରେ ଦୁଃଖା ମାର୍ଣ୍ଡିଙ୍କ ଭାଇ ଜମି ବନ୍ଧା ରଖି ୮୦୦ଟଙ୍କା ଦେଇ ଏକ ଟ୍ରଲିରେ ଶବ ଆଣିବାର ବ୍ୟବସ୍ଥା କରିଥିଲେ ବୋଲି ତାଙ୍କ ଭାଇ ଗଜେନ୍ଦ୍ର ମାର୍ଣ୍ଡି କହିଛନ୍ତି। ରାସ୍ତାକଡ଼ରେ ଏହି ଦୃଶ୍ୟ ଦେଖି ଲୋକମାନେ ମହାପ୍ରୟାଣ ଗାଡ଼ି କୁଆଡ଼େ ଗଲା ବୋଲି ଆଲୋଚନା କରିଥିଲେ। ମୃତଦେହକୁ ପାଖାପାଖି ୫କିମି ଦୂର ଗୋବରା ଗ୍ରାମକୁ ଟ୍ରଲି ଦ୍ୱାରା ଆଣାଯାଇଥିଲା। ଏ ନେଇ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡ଼ିକାଲ ଅଫିସରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସମ୍ଭବ ହୋଇପାରି ନଥିଲା।