ତିଆରି ହେବ ନୂଆ ପାର୍ଲ୍ୟାମେଣ୍ଟ ଭବନ

ନୂଆଦିଲ୍ଲୀ, ଏଜେନ୍ସି: ପ୍ରାୟ ୮୬୨ କୋଟି ଟଙ୍କା ବ୍ୟୟରେ ଭାରତର ନୂତନ ସଂସଦ ଭବନ ନିର୍ମାଣ ହେବ। ଏହି ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟା ବୁଧବାର ଚୂଡ଼ାନ୍ତ ହୋଇଥିବାବେଳେ ଏଥିରେ ଟାଟା ଗ୍ରୁପ ବାଜିମାତ ମାରିଛି। ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଲାର୍ସନ ଆଣ୍ଡ ଟବ୍ରୋ ଭଳି ଅନ୍ୟାନ୍ୟ ପ୍ରତିଷ୍ଠିତ କମ୍ପାନୀଙ୍କୁ ପଛରେ ପକାଇ ଟାଟା ଗ୍ରୁପ୍ ଟେଣ୍ଡର ହାତେଇଥିବା ବେଳେ ଏହି ଗ୍ରୁପ ଅନ୍ତର୍ଗତ ଟାଟା ପ୍ରୋଜେକ୍ଟସ ଲିଃ ୮୬୧.୯୦ କୋଟି ଟଙ୍କାରେ ସଂସଦର ନୂତନ ଅଟ୍ଟାଳିକା ନିର୍ମାଣ କରିବ ବୋଲି ସରକାରୀ ସୂତ୍ରରେ କୁହାଯାଇଛି। ପ୍ରାୟ ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରହିଥିବା ସଂସଦ ଭବନ ଭାରତର ପ୍ରମୁଖ କିର୍ତ୍ତିରାଜୀ ମଧ୍ୟରେ ପରିଗଣିତ ହେଉଥିବା ବେଳେ ଏହା ବ୍ରିଟିଶ କାଳରେ ନିର୍ମାଣ କରାଯାଇଥିଲା ଏବଂ ଏହାର ଆକାର ହେଉଛି ଗୋଲାକାର। ୧୯୨୧ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୬ ବର୍ଷ ମଧ୍ୟରେ ଶେଷ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନ ଅଭାବରୁ ୧୯୫୬ ମସିହାରେ ଏଥିରେ ଆଉ ଦୁଇଟି ମହଲା ନିର୍ମାଣ କରାଯାଇଥିଲା। ତଥାପି ଏହାର ନିର୍ମାଣ ଶୈଳୀ ଏଭଳି ରହିଥିଲା ଯେ, ଅଧିକାଂଶ ସ୍ଥାନ ବ୍ୟବହାର ପାଇଁ ଉପଯୋଗ ହେବା ସମ୍ଭବ ହେଉନଥିଲା। ଗୋଟିଏ ପକ୍ଷରେ ଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରାଯିବା ଏବଂ ତଦନୁଯାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂସଦରେ ସ୍ଥାନାଭାବ ଅନେକ ସମୟରେ ଅସନ୍ତୋଷର କାରଣ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପୂର୍ତ୍ତ ବିଭାଗ ପକ୍ଷରୁ ମୋଟ ୯୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଭବନ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନୂତନ ଭବନର ନିର୍ମାଣ ଶୈଳୀ ତ୍ରିକୋଣାକାର ହେବ ଏବଂ ଆସନ୍ତାବର୍ଷ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହାର ଉଦଘାଟନ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି।