ସ୍ପଷ୍ଟ ଦିବାଲୋକରେ ଗାଁ ସାପ୍ତାହିଜ ବଜାରରେ ଯୁବକଙ୍କୁ ଖୁରରେ ତଣ୍ଟି କାଟି ବାରିକର ହତ୍ୟା ଉଦ୍ୟମ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରାମରେ ସାପ୍ତାହିକ ବଜାର ଚାଲିଥିବା ବେଳେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ବାରିକ ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଖୁର ସାହାଯ୍ୟରେ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ। ଖୁରରେ ଯବକଙ୍କ ତଣ୍ଟି କାଟି ଦେଇଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ବୁର୍ଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ଟା ସମୟରେ ଦୁଧିଆନାଳୀ ଗ୍ରାମରେ ସାପ୍ତାହିକ ବଜାର ବସିଥିବା ବେଳେ ବଜାରକୁ ସଉଦା କିଣିବା ପାଇଁ ଉକ୍ତ ଗ୍ରାମର ଅଗସ୍ତି ସାହୁଙ୍କ ପୁଅ ଟୁଲୁ ସାହୁ(୨୪)ନିଜ ବାଇକ ଯୋଗେ ଆସିଥିଲେ। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ଖଲିନାଳୀ ଗ୍ରାମର କ୍ଷୀର ବସନ୍ତରାଙ୍କ ପୁଅ ରାଜେଶ ବସନ୍ତରା ସେଲୁନରେ ବ୍ୟବହୃତ ଏକ ଖୁରରେ ଟୁଲୁଙ୍କ ତଣ୍ଟି କାଟି ଦେଇଥିଲେ। ସେଠାରେ ପ୍ରବଳ ରକ୍ତ ଶ୍ରାବ ଫଳରେ ଟୁଲୁ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଠାରେ ଟୁଲୁଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଯାଇଛି। ପରେ ଦେବଗଡ଼ ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।