ଡମେନବାହାଲ ଡୁଙ୍ଗରିରେ ବାରହା ମୃତଦେହ ଉଦ୍ଧାର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକର ଘୁନସର ଗାଁ ନିକଟରେ ଥିବା ଡମେନ ଡୁଙ୍ଗୁରିରେ ଏକ ମୃତ ବାରହା ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ହରିଶଙ୍କର ବନାଞ୍ଚଳ କାର୍ଯ୍ୟାଳୟରୁ ପାଖାପାଖି ୩କିମି ଦୂରରେ ଗୋଟିଏ ବାରହାର ମୃତଦେହ ପଡ଼ି ରହିଛି । ମୃତଦେହ ପ୍ରାୟ ୩ରୁ ୪ ଦିନ ପୂର୍ବର ହୋଇଥିବାରୁ ତାହା ପଚିବା ଆରମ୍ଭ କରିଛି । କିନ୍ତୁ ଏନେଇ ଖପ୍ରାଖୋଲ ବନ ବିଭାଗ ପାଖରେ କୌଣସି ଖବର ନାହିଁ । ଅନ୍ୟପଟେ ଖପ୍ରାଖୋଲ ବନପାଳ ସୁଧୀର ଜେନାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ବନ୍ଦଥିବା ଜଣାପଡ଼ିଛି ।

ପ୍ରକାଶଥାଉ କି, ବାରହା ଶିକାର କରିବା ପାଇଁ କେତେକ ବ୍ୟକ୍ତି ବାରୁଦ ଗୁଳାରେ ଗୁଡ଼ ସାମଗ୍ରୀ ବୋଳି ବାରହା ଯାତାୟତ ରାସ୍ତାରେ ରଖି ଦେଇଥାନ୍ତି । ଆଉ ବାରହା ଖାଦ୍ୟ ଅନ୍ୱେଷଣରେ ଯାଇ ଶିକାରୀ ଦ୍ୱାରା ରଖାଯାଇଥିବା ଗୁଡ଼ ବୋଳା ବାରୁଦ ଗୁଳାକୁ ଖାଇ ପ୍ରଚଣ୍ଡ ବିସ୍ଫୋରଣରେ ମତ୍ୟୁବରଣ କରିଥାଏ । ଶିକାରୀମାନେ ବାରହା ମାଂସ ନିଜେ ଖାଇ ଲୁଚା ଚୋରାରେ ବିକ୍ରୟ କରି ଲାଭାନ୍ୱିତ ହୋଇଥାନ୍ତି । ଏପରିି ଅଭିନବ ଉପାୟ ଅବଲମ୍ବନ ଫଳରେ ଖପ୍ରାଖୋଲ ଆଖପାଖ ଅଞ୍ଚଳରେ ବାରହାଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଦିଗରେ ବନ ବିଭାଗ ତଦନ୍ତ କରି ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ସାଧାରଣରେ ଦାବୀ ହେଉଛି ।