ଚାଷୀମାନଙ୍କ ଦ୍ୱାରା ଉଠା ଜଳସେଚନ କାର୍ଯ୍ୟାଳୟ ଘେରାଉ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ବ୍ଲକ ପର୍ଥଲା ଗ୍ରାମରେ ୨୦୧୭-୧୮ ବର୍ଷରୁ ଗଭୀର ନଳକୂପ ଖନନ କରାଯାଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସୋମବାର ପର୍ଥଲା ଗ୍ରାମର ଶତାଧିକ ଚାଷୀ ଉଠା ଜଳସେଚନ କାର୍ଯ୍ୟାଳୟ ଏବଂ ୱେସ୍କୋ ଅଫିସକୁ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାଷୀମାନେ ତୁରନ୍ତ ଗଭୀର ନଳକୂପକୁ ବିଦ୍ୟୁତ ସଂଯୋଗ ସହ କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଥିଲେ।

ସୂଚନାଯୋଗ୍ୟ, ପର୍ଥଲା ଗ୍ରାମରେ ୨୦୧୭-୧୮ ମସିହାରୁ ପ୍ରାୟ ୧୧୯ ଜଣ ଚାଷୀ ଗଭୀର ନଳକୂପ ଯୋଜନାରେ ୨୦ହଜାର ଟଙ୍କା ଲେଖାଏଁ ପୈଠ କରିଥିଲେ। ମାତ୍ର ବିଭାଗୀୟ ଅବହେଳା ଯୋଗୁ ଉକ୍ତ ନଳକୂପଗୁଡ଼ିକ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଚାଷ କାର୍ଯ୍ୟ ପାଇଁ ପାଣିର ଅଭାବ ପରିଲକ୍ଷିତ ହେଉଛି । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉଭୟ ଉଠା ଜଳସେଚନ ଏବଂ ୱେସ୍କା କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଶ୍ରୀ ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆଗାମୀ ୭ଦିନରେ ଗଭୀର ନଳକୂପଗୁଡ଼ିକ କାର୍ଯ୍ୟକ୍ଷମ ନହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏଥିରେ ଅଶୋକ ପଣ୍ଡା, ଅବନୀକାନ୍ତ ପଣ୍ଡା, ପ୍ରେମରାଜ ସାହୁ , ଜନକଧାରୀ ସାହୁ , ଆନନ୍ଦ ସାହୁ, ମୋହନ ସାହୁ, ଅମିତ ପଣ୍ଡା, ଦେବେଶ ଶତପଥୀ, ଚନ୍ଦ୍ରଶେଖର ସାହୁ, ନିତ୍ୟା ସାହୁ, ଲଲିତ ସାହୁ, ଯାଦବ ସାହୁ ସମେତ ବହୁ ଚାଷୀ ସାମିଲ ହୋଇଥିଲେ।