ବୈକୁଣ୍ଠ ସୁନା ହତ୍ୟା ଘଟଣାର ୩ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାକଡ଼ଚୁଆଁ ଗାଁରେ ଗତ ଶନିବାର ଏକ ହତ୍ୟାକାଣ୍ଡ ଘଟିଥିଲା । ଉକ୍ତ ଗାଁର ବୈକୁଣ୍ଠ ସୁନା ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ଘଟଣାରେ ସଦର ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାକଡଚୁଆଁ ଗାଁର ପିକା ଓରଫ ସଞ୍ଜିବ ବାଗ(୩୫), ତରଭା ଥାନା ଅନ୍ତର୍ଗତ ସିଙ୍ଗଡ଼ୋଲ ଗାଁର ସନ୍ତୋଷ ଦୀପ(୩୯) ଓ ବୃନ୍ଦା ରଣା(୩୫) । ପୁଲିସ ଅଭିଯୁକ୍ତଙ୍କଠାରୁ ଏକ ମୋଟର ସାଇକଲ ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଟାଙ୍ଗିଆ ଜବତ କରିଛି। ପୁଲିସର ସୂଚନାନୁଯାୟୀ, ମାକଡଚୁଆଁରେ ହୋଇଥିବା ଏକ ବାହାଘରରେ କୌଣସି କାରଣକୁ ନେଇ ସଞ୍ଜିବ ଗଣ୍ଡଗୋଳ କରିଥିଲା। ଫଳରେ ଗାଁ ଲୋକେ ତାକୁ ସମାଜରୁ ବାସନ୍ଦ କରିଥିଲେ। ଏଥିରେ ସଞ୍ଜିବ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ଦୁଇ ଜଣଙ୍କୁ ଧରି ବୈକୁଣ୍ଠକୁ ହତ୍ୟା କରିବା ପାଇଁ ଗାଁକୁ ଆସିଥିଲା। ଗାଁ ନିକଟରେ ଥିବା ଏକ କେନାଲରୁ ଗାଧୋଇ ଘରକୁ ଫେରୁଥିବା ବୈକୁଣ୍ଠକୁ ସଞ୍ଜିବ ଏକ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା। ବୈକୁଣ୍ଠକୁ ଆକ୍ରମଣ କରି ୩ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ବୈକୁଣ୍ଠକୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈକୁଣ୍ଠକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।