ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଘୋଷଣା କେବେ କାର୍ଯ୍ୟକାରୀ ହେବ ବୋଲି ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ପ୍ରଶ୍ନ କରାଯାଇଛି। ଜିଲ୍ଲାରେ ଦିନକୁଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୨୧ ତାରିଖରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନା ନେଇ ଘୋଷଣା କରିଥିଲେ। ଘୋଷଣାର ଦୀର୍ଘ ଦିନ ପରେ ବି ହସ୍ପିଟାଲ ପ୍ରତିଷ୍ଠା ନେଇ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନଥିବା ବେଳେ ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ଉଦବେଗ ପ୍ରକାଶ ପାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କ୍ୟାନସର ହସ୍ପିଟାଲର ଭିତ୍ତିିଭୂମି ଆରମ୍ଭ କରିବାକୁ ଦାବି କରାଯାଇଛି। ଏହାସହ ବରଗଡ଼ ରକ୍ତ ଭଣ୍ଡାରରେ ଶୀଘ୍ର ରକ୍ତ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ଦାବି ହୋଇଛି । ସେହିପରି କରୋନା ସଂକ୍ରମଣ ରୋକିବା ନେଇ ମାସ୍ ଟେଷ୍ଟିଂ ସହ ସହରକୁ ସାନିଟାଇଜ କରିବାକୁ ଦାବି କରାଯାଇ ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ପବିତ୍ର ଦେହେରୀ, ଭବାନୀ ପ୍ରସାଦ ସାହୁ, କାର୍ତ୍ତିକ ବାରିକ ସମେତ ବହୁ ସଦସ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।