ଅନୁସୂଚିିତ ଜନଜାତି କମିଶନ ପ୍ରତିଷ୍ଠା ଦାବି କଲା ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା

ବରଗଡ଼, ଏନ୍ଏନ୍ଏସ୍: ରାଜ୍ୟରେ ଅନୁସୂଚୀତ ଜନଜାତି କମିଶନ ପ୍ରତିଷ୍ଠା କରାଯିବା ସହ ନକଲି ଆଦିବାସୀ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖିଳ ଭାରତୀୟତ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ତରଫରୁ ଦାବି କରାଯାଇଛି । ଏ ନେଇ ମହାସଭା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୩ ଦଫା ସମ୍ମିଳିତ ଏହି ଦାବି ପତ୍ରରେ ମାଡା ଗ୍ରାମ, ମାଡା ପଞ୍ଚାୟତ ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ପେସା ଆଇନ ଲାଗୁ କରାଯିବା, ରାଜ୍ୟର ସମସ୍ତ ଜିଲ୍ଲାରେ ଆଦିବାସୀମାନଙ୍କ ପାରମ୍ପରିକ ଖୋଲା ମ୍ୟୁଜିୟମ ନିର୍ମାଣ, ଗୋଁଣ୍ଡୱାନା ଇତିହାସ ପାଠ୍ୟକ୍ରମରେ ସାମିଲ କରାଯିବା , ସମ୍ବଲପୁର ଜିଲ୍ଳାର ଯୁଯୋମୁରା, ଝାରସଗୁଡା ଜିଲ୍ଲାର ଲଇକେରା ଏବଂ କିରମିରାକୁ ବ୍ଲକ୍ ଭାବରେ ଘୋଷଣା, କୋଲାବିରା ଜମିଦାର କରୁଣାକର ନାଏକ , ତାଙ୍କ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କୁ ସହିଦ ମାନ୍ୟତା ସହ କୋଲାବିରା ଗଡ଼ର ସୁରକ୍ଷା ଏବଂ କରୁଣାକର ନାଏକ ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପାଳନ କରାଯାଉ ବୋଲି ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବରଗଡ଼ ଜିଲ୍ଲା ଆୟୋଜନ ସମିତିର ମହାସଚିବ ଧନେଶ୍ୱର ସିଂ, ସତ୍ୟବାନ ଭୋଇ, ସରୋଜ ଧରୁଆ, ସୁରେନ୍ଦ୍ର ଧରୁଆ, ଚୂଡାମଣି ରାୟ, ମନବୋଧ ରାୟ, ଅହଲ୍ୟା ଭୋଇ, ଜୟଲାଲ ଭୋଇ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।