ପ୍ରଶାସନିକ କଟକଣା ଓ ଟୋକନ ଭିତରେ ପେଷୀ ହେଉଛି ଚାଷୀ

ବରଗଡ଼, ଏନ୍ଏନ୍ଏସ୍: ମାର୍କେଟ ୟାର୍ଡ ଖୋଲିବାର ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଚାଷୀକୁ ଏଯାଏଁ ଟୋକନ ମିଳିପାରି ନାହିଁ । ଫଳରେ ଚାଷୀ ଧାର୍ଯ୍ୟମୂଲ୍ୟାଠାରୁ କମ୍ ଦାମରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଭେଙ୍ଗରାଜପୁରରୁ ଏଭଳି ଅଭଇଯୋଗ ଆସିଛି। ଭେଙ୍ଗରାଜପୁର ମାର୍କେଟ ୟାର୍ଡ ଆଜକୁ ୧୫ ଦିନ ହେବ ଖୋଲିଥିବା ସତ୍ୱେ ଏଠାରେ ଧାନ ବିକ୍ରୀ କରୁଥିବା ୧୫ ଟି ଗ୍ରାମର ଚାଷୀଙ୍କୁ ଟୋକନ ମିଳିପାରି ନାହିଁ । ଯାହାକୁ ନେଇ ଚାଷୀ ବାରମ୍ବାର ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଫଳ ଶୂନ।

ଭେଙ୍ଗରାଜପୁର ମାର୍କେଟ ୟାର୍ଡରେ ଚଳିତ ଖରିଫରେ ୯୧୭ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ଡେଙ୍ଗନାଡିହି ଗ୍ରାମର ଉତ୍କଳ ଏସଏଚଜି ଗୃପକୁ ଧାନ କିଣା ଦାୟିତ୍ୱ ଦିଆଯାଇଛି। ଅପରପକ୍ଷେ ଟୋକନ ପାଇଁ ଚାଷୀ ହଇରାଣ ହେବାସହ ଧାନ ବିକ୍ରୀରେ ଅସୁବିଧାର ସମ୍ମୁଖୀନ ହେଉଛି । ଏହାସହ ଚାଷୀ ନିଜ କଷ୍ଟୋପାର୍ଜିତ ଧାନ ଅଣ୍ଡରରେଟରେ ବିକ୍ରୀ କରିବାକୁ ବାଧ୍ୟ ହେବା ସହ ଶୋଷଣର ଶିକାର ହେଉଛି । ତୁରନ୍ତ ଚାଷୀମାନଙ୍କୁ ଟୋକନ ଯୋଗାଇ ଦେବାକୁ ଜୟ କିଶାନ କୃଷକ ସଂଗଠନ ଦାବି କରିଛି । ଏନେଇ ଜୟ କିଶାନ କୃଷକ ସଂଗଠନ ତରଫରୁ ବରଗଡ଼ ଜିଲ୍ଲାପାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।