ଷ୍ଟେଟବ୍ୟାଙ୍କ୍ ମୁଖ୍ୟ ଶାଖା ଲକରରୁ ୩୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଗାୟବ

ବରଗଡ଼,ଏନ୍ଏନ୍ଏସ୍: ଭାରତୀୟ ଷ୍ଟେଟବ୍ୟାଙ୍କ ବରଗଡ଼ର ମୁଖ୍ୟ ଶାଖାରୁ ୩୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ମହିଳା ସ୍ନିଗ୍ଧା ତ୍ରିପାଠୀ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ମହାନ୍ତିପଡା ନିବାସୀ ସ୍ନିଗ୍ଧା ତ୍ରିପାଠୀଙ୍କ ଷ୍ଟେଟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାର ୨୮୨ ନମ୍ବର ଲକର ରହିଛି । ଯାହାକୁ ସେ ଏବଂ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ ମିଳିତ ଭାବେ ଅପରେଟ କରୁଥିଲେ । ଗତ ଜୁନ୍ ୨୦୧୬ରେ ସ୍ନିଗ୍ଧା ଉକ୍ତ ଲକରରେ ବିବାହବେଳେ ପାଇଥିବା ପ୍ରାୟ ୩୩ ଲକ୍ଷ ଟଙ୍କାର ସୁନାଗହଣା ରଖି ଆଉ ଖୋଲିନଥିଲେ । ତେବେ ବରଗଡ଼ ଆସିଥିବା ଅବସରରେ ଆଜି ବ୍ୟାଙ୍କକୁ ଆସି ଲକର ଖୋଲିବା ପରେ ସେଠାରେ ରଖାଯାଇଥିବା ସୁନାଗହଣା ଗାୟବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ବରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ବ୍ୟାଙ୍କରେ ରଖିଥିବା ୨୫୦ ଗ୍ରାମ ଓଜନର ୮ ଟି ସୁନା ଚେନ, ୧୨ ଟି ସୁନା ମୁଦି , ୨ଟି ସୁନା ଖଡୁ , ୬ ଟି ସୁନା ଚୂଡି , ୧୦ ଯୋଡା ସୁନା କାନଫୁଲ , ଗୋଟିଏ ସୁନା ଲକେଟ, ଦୁଇଟି ସୁନା ଚେନ, ଚାରୋଟି ରୂପା ପାଉଁଜି, ୧୦ ଟି ଗୋଡ ମୁଦି , ଦୁଇ ଯୋଡା ରୂପା ବ୍ରାସଲେଟ ଏବଂ ଗୋଟିଏ ସୁନାର ମଥା ଟିକା ଗାୟବ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୩ ଲକ୍ଷ ୩୭ ହଜାର ହେବ ବୋଲି ଶ୍ରୀମତୀ ତ୍ରିପାଠୀ ଏତାଲାରେ ଦର୍ଶାଇଛନ୍ତି ।