ରିଆମାଳ ସେବା ସମବାୟ କେନ୍ଦ୍ର ସମିତି ସ୍ତରୀୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ରିଆମାଳ ସେବା ସମବାୟ କେନ୍ଦ୍ରରେ ଆଜି ସମିତିସ୍ତରୀୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତିର ସଭାପତି ତରଣୀସେନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ ଯୋଗଦେଇ ସରକାରଙ୍କ ଏହି ସେବା ସମସ୍ତେ ଉପଭୋଗ କରନ୍ତୁ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ରିଆମାଳ ସରପଞ୍ଚ ବୀଣାପାଣି ନାୟକ, ମଳେହିପଡ଼ା ସରପଞ୍ଚ ରୁନୁ ବେହେରା ଓ କୃଷି ଅଧିକାରୀ ଯୋଗ ଦେଇଥିଲେ । ରିଆମାଳ ସମ୍ବଲପୁର ସେବା ସମବାୟ ବ୍ୟାଙ୍କ ମ୍ୟାନେଜର ସିନୁରାଜ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାସହ ରିଆମାଳ ବ୍ଲକରେ ବଳରାମ ଯୋଜନାରେ ସର୍ବାଧିକ ୧୯୦ ଗ୍ରୁପର ୮୫୦ଜଣ ହିତାଧିକାରୀଙ୍କୁ ୮୪ ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆଯାଇଥିବା କହିଛନ୍ତି । ଏହି କର୍ମଶାଳାରେ ରିଆମାଳ, ମଳେହିପଡ଼ା, ଆଡସ ପଞ୍ଚାୟତର ବହୁ ଚାଷୀ ଓ ଏସଏଚଜି ମହିଳା ଯୋଗ ଦେଇଥିଲେ । ସେବା ସମବାୟ ସମ୍ପାଦକ ମୋତିଲାଲ ପ୍ରଧାନ, ଅତିରିକ୍ତ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲୋକନାଥ ସାହୁ ଓ ଗୋଲବଦନ ବିଶ୍ୱାଳ ସହଯୋଗ କରିଥିଲେ ।