ବାଙ୍ଗାଲୁରୁ ଗ୍ୟାସ୍ ସିଲିଣ୍ଡର୍ ଫାଟିବା ଘଟଣା: ପ୍ରଶାସନ ସହଯୋଗରେ ଗାଁରେ ପହଂଚିଲା ୩ଜଣଙ୍କ ମର ଶରୀର

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ବାଙ୍ଗାଲୁରୁରେ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ରନ୍ଧନ ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟ ଘଟିଥିଲା। ସେମାନଙ୍କ ମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ୨ଜଣ ଯୁବତୀ ଥିବାବେଳେ କୋଟଗଡ଼ ବ୍ଲକର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀ ରହିଥିଲେ। ମୃତ୍ୟୁ ପରେ ମୃତକଙ୍କ ମର ଶରୀରକୁ ବାଙ୍ଗାଲୁରୁରୁ ଗାହାକିଆ ଗ୍ରାମକୁ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ରବିବାର ରାତିରେ ବାଙ୍ଗାଲୁରୁରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କନ୍ଧମାଳ ଜିଲ୍ଲାର ୩ଟି ମୃତଦେହକୁ ନେଇ ବାହାରିଥିବା ଆମ୍ବୁଲାନ୍ସଟି ମଙ୍ଗଳବାର ସକାଳେ ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା। ଗ୍ରାମବାସୀମାନେ ଦାରିଙ୍ଗବାଡ଼ିରୁ ଆମ୍ବୁଲାନ୍ସକୁ ସୋନପୁର ଯାଏଁ ନେଇ ଯାଇଥିଲେ। ଆମ୍ବୁଲାନ୍ସଟି ଗାହାକିଆଠାରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଖ୍ରୀଷ୍ଟୀୟ ରୀତିନୀତି ଅନୁସାରେ ଗୋଟିଏ ସ୍ଥାନରେ ବରଣୀ ଓ ମମତାଙ୍କୁ ସମାଧି ଦିଆଯାଇଥିଲା । ସେହିପରି କୋଟଗଡ଼ ବ୍ଲକର ଯୁବକଙ୍କ ମର ଶରୀରକୁ ସେହି ଆମ୍ବୁଲାନ୍ସ ଯୋଗେ ଶ୍ରାମ୍ବି ଗ୍ରାମକୁ ପଠାଇ ଦିଆଯାଇଥିଲା । ମୃତ ଦୁଇ ଯୁବତୀ ବାଙ୍ଗାଲୁରୁରେ କାମ କରି ପରିବାରର ପ୍ରତିପୋଷଣ କରୁଥିବା ବେଳେ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକେ ଏବେ ଅସହାୟ ହୋଇ ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ଏହି ଦୁର୍ଘଟଣାରେ ସେହି ଗ୍ରାମର ଅଞ୍ଜଳି ପ୍ରଧାନ ନାମକ ଯୁବତୀ ବାଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି।