ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବୃହତ ବିଜୟ, ୨-୦ରେ ସିରିଜ କ୍ଳିନସୁଇପ୍‌

ବେଙ୍ଗାଲୁରୁ,ଏଜେନ୍ସି: ପିଙ୍କ୍‌ ବଲ ଟେଷ୍ଟ ପୁଣି ଟିମ ଇଣ୍ଡିଆ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟକୁ ୨୩୮ ରନ୍‌ରେ ଜିତିନେଇଛି ଟିମ ଇଣ୍ଡିଆ। ଫଳରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନ ସୁଇପ କରିଛି ଭାରତ। ଘରୋଇ ମାଟିରେ ପୂର୍ବରୁ ଖେଳିଥିବା ଦୁଇଟି ପିଙ୍କ୍‌ ବଲ୍‌ ଟେଷ୍ଟରେ ତିନିଦିନ ମଧ୍ୟରେ ବିଜୟୀ ହୋଇଥିଲା ଭାରତୀୟ ଟିମ। ବେଙ୍ଗାଲୁରୁରେ ଏହି ରେକର୍ଡ ମଧ୍ୟ ବଜାୟ ରଖିଛି ରୋହିତ ବାହିନୀ।

୪୪୭ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ସିଂହଳ ଟିମ ୫୯.୩ ଓଭରରେ ୨୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କ୍ୟାପଟେନ ଦିମୁଥ କରୁଣାରତ୍ନେ ଲଢୁଆ ଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ଖେଳାଳିଙ୍କ ସାଥ୍‌ ମିଳିନଥିଲା। କୁଶଲ ମେଣ୍ଡିସ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ଏହା ବ୍ୟତୀତ ଟିମର ୮ଜଣ ଖେଳାଳି ଦୁଇଅଙ୍କ ସ୍କୋର ପାର୍‌ କରିପାରିନଥିଲେ।

ପ୍ରଥମ ଇଂନିସରେ ଭାରତ ୨୫୨ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୧୦୯ ରନ୍‌ରେ ସୀମିତ ରହିଥିଲା। ପରେ ୩୦୩ ରନ୍‌ରେ ଭାରତ ଦ୍ବିତୀୟ ଇଂନିସରେ ଘୋଷଣା କରିବା ପରେ ଶ୍ରୀଲଙ୍କା ସାମ୍ନାରେ ୪୪୭ ରନ୍‌ର ଟାର୍ଗେଟ ରହିଥିଲା।