ବାଲିରୋଇ ଟ୍ରିପଲ ମର୍ଡର ମିଷ୍ଟ୍ରି : ମୁହଁ ଖୋଲୁନି ପୁଲିସ

ଦେବଗଡ,ଏନଏନଏସ: ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଗତକାଲି ଅପରାହ୍ନରେ ପୁଲିସ ୩ ଟି ଅପରିଚିତ ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରିବା ପରେ ଆଜି ମୃତଦେହ ଗୁଡିକୁ ଦେବଗଡ ଡାକ୍ତରଖାନା ଶବାଗାରରୁ ବୁର୍ଲା ଫରେନସିକ ଲ୍ୟାବ କୁ ନେଇଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ମୃତକ ଙ୍କ କୈାଣସି ପରିଚୟ ମିଳି ନଥିବା ବେଳେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ଅବିଶ୍ୱସନୀୟ ଭାବେ ନୀରବ ରହୁଥିବାରୁ ଆଖପାଖ ଅଂଚଳର କୈାଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସଂପୃକ୍ତି ସହ ଏକାଧିକ ବ୍ୟକ୍ତି ଙ୍କ ସଂପୃକ୍ତି ଥିବା ସନ୍ଦେହ ଦୃଢିଭୂତ ହୋଇଛି।

ସାଧାରତଃ କୈାଣସି ସ୍ଥାନରେ ଏଭଳି ଘଟଣା ଘଟିଲେ ଉକ୍ତ ସ୍ଥାନରେ ଜନଗହଳି ଦେଖା ଦେଉଥିବା ବେଳେ ଗତକାଲି ମୃତଦେହ ଉଦ୍ଧାର ସମୟରେ ପୁଲିସର ସନ୍ଧାନୀ କୁକୁର ଓ ଫରେନସିକ ଟିମ ଉପସ୍ଥିତ ଥିବା ବେଳେ କୈାଣସି ଗ୍ରାମବାସୀ ଙ୍କ ଉପସ୍ଥିତି ଦେଖିବାକୁ ମିଳି ନଥିଲା।ଏକାଧିକ ବ୍ୟକ୍ତି ଙ୍କ ସଂପୃକ୍ତି ବିନା ଜଙ୍ଗଲରେ ଗାତ ଖୋଳି ୩ଟି ମୃତ ଦେହ ପୋତିବା ଅସମ୍ଭ ବୋଲି ପୁଲିସ ପ୍ରକାଶ କରିଛି।

ଆଜି ଦେବଗଡ ଏସପି ଙ୍କ ନିର୍ଦ୍ଧେଶରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନାରାୟଣ ସି ,ଏସଡିପିଓ ସୁଲେମାନ ଏକ୍କା ଙ୍କ ସମେତ ୩ ଜଣ ଇନ୍ସିପେକ୍ଟର ଭିନ୍ନ ଭିନ୍ନ ଟିମ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ଏହି ଟ୍ରିପଲ ମର୍ଡର ମିଷ୍ଟ୍ରି ସମ୍ପର୍କରେ ମୁହ ଖୋଲୁ ନାହିଁ।ତଦନ୍ତ ପ୍ରକ୍ରୀୟାରେ ବାଧା ଉପୁଜିବା ଆଶଙ୍କାରେ ଅଧିକ ସୂଚନା ଦେବାକୁ ଏସପି ମନା କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟଯେ ବାଲିରୋଇ ଗ୍ରାମର ଜଙ୍ଗଲ ନିକଟସ୍ଥ ରାସ୍ତା କଡରେ ଜଣେ ମହିଳା ଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ଅଧା ପୋତା ଅବସ୍ଥାରେ ଦେଖି ଗ୍ରାମବାସୀ ବାରକୋଟ ଥାନା କୁ ଗତ ଶୁକ୍ରବାରଦିନ ସୂଚନା ଦେଇଥିଲେ।ଗ୍ରାମବାସୀ ଙ୍କ ସୂଚନା ପାଇ ପୁଲିସ ସନ୍ଦାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଗତକାଲି ମଧ୍ୟାହ୍ନରେ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଦାର କରିଥିବା ବେଳେ ମହିଳା ଙ୍କ ଶରୀରର ଉପରଭାଗ କୈାଣସି ସନ୍ଧାନ ପାଇ ନଥିବା ବେଳେ ଅଣ୍ଟାରୁ ତଳ ଭାଗ ଅଂଶ ଉଦ୍ଧାର କରିଥିଲା। ପରେ ମହିଳା ଙ୍କୁ ପୋତାଯାଇଥିବା ସ୍ଥାନ କୁ ଅଧିକ ଖୋଳିବା ପରେ ସେଠାରୁ ୨ ଶିଶୁ ଙ୍କ ମୃତ ଦେହ ମିଳିଥିଲା।ଫଳରେ ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ସନ୍ଧାନୀ କୁକୁର ସହାୟତାରେ ତଳାସି ଅଭିଯାନ କରିଥିଲେ ମଧ୍ୟ କୈାଣସି ସୁଫଳ ପାଇପାରି ନଥିଲେ।

ଅନ୍ୟ ପକ୍ଷରେ ମୃତ ୨ ଶିଶୁ ଙ୍କ ନିକଟରୁ ଫ୍ରକ ଉଦ୍ଧାର ହୋଇଥିବାରୁ ମୃତ ୨ ଶିଶୁ କନ୍ୟା ସନ୍ତାନ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ପ୍ରଥମେ ୨ ଶିଶୁ ଙ୍କୁ ମାଟିରେ ପୋତିବା ପରେ ମହିଳାଙ୍କୁ ପୋତାଯାଇଥିବା ଏବଂ ମୃତଦେହ ନିକଟରୁ ଏକ କମଳା ରଙ୍ଗର ଶାଢୀ ,ଚୂଡି, ପାଉଁଜି, ଗୋଡ ମୁଦି ଓ ମାଳି ଆଦି ଜବତ କରିଥିଲେ । ତେବେ ମୃତ ଦେହ କୁ କିଏ କିପରି ,କେଉଁଠାରୁ ଆଣି ପୋତିଛି ସେ ନେଇ କୈାଣସି ସଠିକ ସିଦ୍ଧାନ୍ତରେ ପହଚିଂ ପାରି ନଥିବା ବେଳେ ଏହା ପୁଲିସ ପାଇଁ ଏକ ଅସମାହିତ ପ୍ରଶ୍ନ ଭାବେ ଉଭା ହୋଇଛି।