ବାଲିଗୁଡା ଉପଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ପରଷିଲେ ମଧ୍ୟାହ୍ନ ଭୋଜନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାରେ ଶିକ୍ଷାକୁ ସୁଦୃଢ଼ କରିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରାଯାଉଛି । କିଭଳି ସମସ୍ତ ଛାତ୍ରଛାତ୍ରୀ ସବୁବେଳେ ସ୍କୁଲ ମୁହାଁ ହୋଇ ୨ ଅକ୍ଷର ପାଠ ପଢ଼ିବେ ସେଥିପାଇଁ ମୌଳିକ ସ୍ୱାକ୍ଷରତା, ସଂଖ୍ୟା ଜ୍ଞାନ ତାଲିମ ଓ ମୁଁ ଲେଖିବି ମୁଁ ପଢ଼ିବି ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାରେ ନିଯୁକ୍ତ ନୂତନ ମହିଳା ଉପଜିଲ୍ଲାପାଳ ଏମଏସ ମଧୁମିତା ବିଭିନ୍ନ ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ନେଇ ଏବେ ଚର୍ଚ୍ଚା ହେଉଛି । ପିଲାଙ୍କୁ ପାଠ ପଢ଼ାଇବା ସହ ଛାତ୍ରୀମାନେ କିଭଳି ଛାତ୍ରଙ୍କଠାରୁ ଅଧିକ ଭଲ ପାଠ ପଢ଼ିବେ ଓ ଅଧାରୁ ସ୍କୁଲ ଛାଡ଼ିବେନି ସେ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବାଲିଗୁଡ଼ା ବ୍ଲକର ସିନ୍ଦ୍ରିଗାଁ ପଞ୍ଚାୟତର ବିଭିନ୍ନ ସ୍କୁଲ ବୁଲିବା ସହ ନିଜେ ଉପଜିଲ୍ଲାପାଳ ଚକଖଡ଼ି ଧରି କଳାପଟାରେ ଛାତ୍ରଛାତ୍ରୀଙ୍କୁ ପାଠ ବୁଝାଇବା ଦେଖିବାକୁ ମିଳିଥିଲା । ଏହାସହ ମଧ୍ୟାହ୍ନ ଭୋଜନ ମଧ୍ୟ ନିଜେ ପରଷି ଥିଲେ । ରୋଷଇ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଠିକ୍ ଭାବେ ପିଲାଙ୍କୁ ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।