ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ପୁଲିସ ପୁଣି ୧୦୫ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରିଛି। କିନ୍ତୁ ପୁଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ମାଫିଆମାନେ ଫେରାର ହେବାରେ ସଫଳ ହୋଇଛନ୍ତି । ପୁଲିସର ସୂଚନାନୁସାରେ, କୌଣସି ସୂତ୍ରରୁ ଖବର ପାଇ ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ଟିମ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଗୋଛାପଡ଼ା ଥାନା ଗଙ୍ଗଳଡ଼କା ବୋଉପଙ୍ଗା ଅଞ୍ଚଳରେ ଚଢ଼ଉ କରିଥିଲା । ଏହି ସମୟରେ ଗଞ୍ଜେଇ ଓ ବାଇକ ଜବତ କରିବାରେ ସଫଳ ହୋଇଥିବାବେଳେ ପୁଲିସକୁ ଦେଖି ମାଫିଆମାନେ ଫେରାର ହୋଇ ଯାଇଥିଲେ । ପରେ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଫେରାର ମାଫିଆଙ୍କୁ ଖୋଜା ଚାଲିଥିବା ଜଣାପଡ଼ିଛି । ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତମାନେ ଧରା ପଡ଼ିବେ ବୋଲି ଥାନାଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।