ଟାଟା ମ୍ୟାଜିକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ତଗାକିଆ ନିକଟସ୍ଥ ୫୯ନଂ ଜାତୀୟ ରାଜପଥରେ ଏକ ଟାଟା ମ୍ୟାଜିକ ଧକ୍କାରେ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଚାଲିଚାଲି ଯାଉଥିବା ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଗାଡ଼ିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ବୃଦ୍ଧ ଜଣକ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ବୃଦ୍ଧ ଜଣକ ତଗାକିଆ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକ ବୋଲି ସୂଚନା ମିଳିଛି। ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ବାଲିଗୁଡ଼ା ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।