ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା କମିଟି ବୈଠକ ବାତିଲ ହୋଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲା। ବର୍ତ୍ତମାନ କରୋନାସ୍ଥିତକୁ ଦେଖି ସବୁ ବୈଠକ ବାତିଲ ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା।
ସେପଟେ ବୈଠକ ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଆଲୋଚନା ପରେ ବୈଠକ ବନ୍ଦ ପାଇଁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ସଂଖ୍ୟା ୧୨, ତେବେ ବୈଠକରେ ମାତ୍ର ୭ରୁ୮ଜଣ ଉପସ୍ଥିତ ଥାଆନ୍ତି। କରୋନାର ସମସ୍ତ ନିୟମକୁ ମାନି ଏହି ମିଟିଂ କରାଯାଇ ପାରିଥାଆନ୍ତା। ସାମାଜିକ ଦୂରତ୍ୱ ମାଧ୍ୟମରେ ୧୫ରୁ୫୦ଜଣ ସଦସ୍ୟ ବୈଠକ କରି ପାରୁଛନ୍ତି। ତେବେ ମାତ୍ର ୧୦ରୁ୧୨ଜଣ ସଦସ୍ୟଙ୍କୁ ନେଇ ବୈଠକ କରାଯିବାରେ ଅସୁବିଧା କେଉଁଠି ରହିଲା।
ବୈଠକ ବନ୍ଦ କରାଯିବାର ଯଥାର୍ଥତା ନାହିଁ ବୋଲି ମୋହନ ମାଝୀ କହିଛନ୍ତି। ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାସରେ ବିିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ ଓ କିଛି କମିଟିର ବୈଠକ ମଧ୍ୟ ହୋଇଥିଲା। ଗତକାଲି ବିଧାନସଭାରେ ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ବୈଠକ ଜୁଲାଇ ମାସରେ ବସି ପାରିବ ନାହିଁ। ତେଣୁ ସମସ୍ତ କମିଟି ବୈଠକ ବାତିଲ ହୋଇଗଲା।