ଏଥର କରୋନା ଯୋଗୁ କାଉଡ଼ିଆଙ୍କ ଜଳଲାଗି ବନ୍ଦ: ଭକ୍ତଙ୍କ ମଧ୍ୟରେ ନିରାଶାଭାବ

ବାଲିଗୁଡ଼ା,ଏନ୍ଏନ୍ଏସ୍: ପ୍ରତ୍ୟେକ ବର୍ଷ କାଉଡ଼ିଆମାନେ ଶ୍ରାବଣ ମାସରେ ଜଳଭାର ଧରି ଶିବ ମନ୍ଦିରକୁ ଯାଇଥାନ୍ତି । ହେଲେ ଚଳିତ ବର୍ଷ କୋଭିଡ-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୋଲବମ ଯାତ୍ରାକୁ ବନ୍ଦ ରଖିଛନ୍ତି । ଏନେଇ ଶନିବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନୀୟ ବାଲିଗୁଡ଼ା ସହର ସମେତ ଆଖପାଖ ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରତ୍ୟେକ ବର୍ଷ ପ୍ରାୟ ଶତାଧିକ ବୋଲବମ କମିଟି ପକ୍ଷରୁ ୧୦ ହଜାରରୁ ଉର୍ଦ୍ଧ କାଉଡ଼ିଆ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରୁଥିଲେ। ଏବର୍ଷ ଜଳଲାଗି ନକରିବା ନେଇ କାଉଡ଼ିଆଙ୍କ ମନରେ କଷ୍ଟ ରହିଥିଲେ ହେଁ କରୋନାକୁ ମୁକାବିଲା କରିବା ଲାଗି ପ୍ରଶାସନର ଉଦ୍ୟମ ପ୍ରଂଶସନୀୟ ବୋଲି ସ୍ଥାନୀୟ ଅଂଚଳର କିଛି କାଉଡ଼ିଆ ଭକ୍ତ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ତ ଶୌବପୀଠ ମନ୍ଦିର କମିଟିଙ୍କୁ ଚିଠି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଆଉ ଏହାକୁ ଅବମାନନା କରି କୌଣସି କାଉଡ଼ିଆ ଭକ୍ତ ଜଳଲାଗି କଲେ ସଂପୃକ୍ତ କାଉଡ଼ିଆ ଭକ୍ତ ଓ ମନ୍ଦିର ପୂଜକଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।