ଜିଲ୍ଲା କଂଗ୍ରେସ ପକ୍ଷରୁ ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତି ଓ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୬ ତମ ଜୟନ୍ତୀ ଓ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସର ବରିଷ୍ଠ ସଦସ୍ୟ ମହେନ୍ଦ୍ର ନାଏକ ବଲ୍ଲଭ ଭାଇ ପଟେଲ ଓ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ବଲ୍ଲଭ ଭାଇ ଓ ଇନ୍ଦିରା ଉଭୟ ଚିର ସ୍ମରଣୀୟ।

ରାଷ୍ଟ୍ର ତଥା ଜନତାଙ୍କ ହିତ ପାଇଁ ଉଭୟେ ନିଜର ସ୍ୱାର୍ଥକୁ ପଛରେ ପକାଇ ସର୍ବଦା କାର୍ଯ୍ୟ କରୁଥିଲେ। ଦେଶକୁ ସ୍ୱାଧୀନ କରିବାରେ ବଲ୍ଲଭ ଭାଇ ନିଜର ଜୀବନକୁ ଉତ୍ସର୍ଗ କରିଥିବାବେଳେ ଇନ୍ଦିରା ଏକ ଉନ୍ନତ, ଶକ୍ତିଶାଳୀ ଭାରତ ତିଆରି କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ଭାରତବାସୀ ଏହି ଦୁଇ ମହାନ ବ୍ୟକ୍ତିତ୍ୱକୁ ଚିରଦିନ ପାଇଁ ସ୍ମରଣ କରିବେ ବୋଲି ଶ୍ରୀ ନାଏକ କହିଛନ୍ତି।

ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଭରତ ଅୱସ୍ତି, ପ୍ରଶାନ୍ତ ତ୍ରିପାଠୀ, ସିଆରାମ ଦାସ, ଫକିର ନାଏକ, ସଞ୍ଜୟ ମହାପାତ୍ର, ଶାହାରୁଖ ଖାନ, ମନିଷ ବାଜପେୟୀ, ସମ୍ବିଦ ପଟେଲ, ନିରାକର ପ୍ରଧାନ ପ୍ରମୁଖ ବଲ୍ଲଭ ଭାଇ ପଟେଲ ଓ ଇନ୍ଦିରା ଗାନ୍ଧୀଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।