ଟିଟିଲାଗଡ଼ ବ୍ଲକର ୨ଟି ଗାଁର କିଛି ଅଂଶ କଣ୍ଟେନମେଣ୍ଟ ଜୋନ

ବଲାଙ୍ଗିର,ଏନ୍ଏନ୍ଏସ୍: କରେନା ସଂକ୍ରମଣକୁ ଯୋଗୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନାରେନ ଓ ଖୋଲାନ ଗାଁର କିଛି ଅଞ୍ଚଳକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନାରେନ ପଞ୍ଚାୟତର ନାରେନ ଗାଁ ଅନ୍ତର୍ଗତ ଆଡ଼ଜୁଆପଡ଼ାର ପିତାମ୍ବର ମାଝୀଙ୍କ ଘରଠାରୁ ଶାନ୍ତପଡ଼ା ପର୍ଯ୍ୟନ୍ତ ଓ ଖୋଲାନ ପଞ୍ଚାୟତର ଖୋଲାନ ଗାଁ ହାଟପଦା ପଡ଼ାଠାରୁ ଏଟିଏମ ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସେହିପରି ଖୋଲାନ ପଞ୍ଚାୟତର ଜାମପଡ଼ା ଓ ପର୍ଥଲା ଗାଁ ଏବଂ ନାରେନ ପଞ୍ଚାୟତର ବଡପତରା ପାଲି ଓ ମୀନାପାଲି ଗାଁକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନର ଲୋକଙ୍କୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ସମସ୍ତପ୍ରକାର ଘରୋଇ ଯାନବାହାନ ଚଳାଚଳକୁ ନିଷେଧ କରାଯାଇଛି। ଏଥିସହିତ ଅଞ୍ଚଳରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।