ବଲାଙ୍ଗିର,ଏନ୍ଏନ୍ଏସ୍: ଗତ ତିନି ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୨୨ଥର ବୃଦ୍ଧି ପାଇଛି। ତେଣୁ ତୈଳଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ କରି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୈଳ ମନ୍ତ୍ରଣାଳୟର ନିୟମ ମୁତାବକ, ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ହେଲେ ଦେଶରେ ତୈଳଦର ବୃଦ୍ଧି ହେବା କଥା ମାତ୍ର ଅନ୍ତର୍ଜାତୀୟ ବଜାରରେ ତୈଳଦର ଯଥେଷ୍ଟ କମ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୫୦ ଟଙ୍କାରୁ ଅଧିକ ଉତ୍ପାଦ ଶୁଳ୍କ ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି। ଆଉ ଏହାର ପ୍ରଭାବ ସାଧାରଣ ଖାଉଟି ଉପରେ ପଡୁଛି। ତେଣୁ ତୁରନ୍ତ ତୈଳଦର କମାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି। ଏହି ସମୟରେ ରାଜ୍ୟ କଂଗ୍ରେସର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ପିସିସି ସଭ୍ୟ ଅସୀମ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଓ ପ୍ରଦେଶ କଂଗ୍ରେସ ସମ୍ପାଦକ ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୁଇଁନ୍ତଳାଠାରେ ଅନୁଷ୍ଠିତ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ ବେହେରା, ପୁଇଁନ୍ତଳା ବ୍ଲକ କଂଗ୍ରେସ ସଭାପତି ଉମା ସାହୁ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ସତ୍ୟାନନ୍ଦ ସୁନା ଓ ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।