ବଲାଙ୍ଗିର ମାଟିର ଟାଣୁଆ ନେତା ଗିରିଧାରୀ ପତିଙ୍କ ପରଲୋକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ମାଟିର ଟାଣୁଆ ନେତା ଗିରିଧାରୀ ପତିଙ୍କ ଆଜି ପରଲୋକ ଘଟିଛି । ମୁଖ କର୍କଟ‌ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଗିରିଧାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ମଧ୍ୟାହ୍ନରେ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।

ବଲାଙ୍ଗିର ହାଟପଦାପଡ଼ା ନିବାସୀ ସ୍ୱର୍ଗତ ଗିରିଧାରୀ ଜଣେ ଟାଣୁଆ ନେତା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିବା ବେଳେ ଦୁଇ ଦୁଇ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ହାରି ଯାଇଥିଲେ । ତେବେ ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ସେ ଖୁବ୍‌ ଲୋକପ୍ରିୟ ଥିଲେ । ପ୍ରଥମେ ଗିରିଧାରୀ କଂଗ୍ରେସ ଦଳରେ ରହି ସୁନାମ ଅର୍ଜନ କରିଥିବାବେଳେ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ତେବେ ଦଳରୁ ଊର୍ଦ୍ଧ୍ୱରେ ରହି ଜନ ହିତକର କାର୍ୟ୍ୟ କରିବାରେ ସେ ବେଶ୍‌ ଆଗୁଆ ଥିବାରୁ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ସହରରେ ତଥା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।