ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ: ରାଜଧାନୀରେ ପରାକ୍ରମ ଦେଖାଇଲେ ପାଇକ ପୁଅ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବକ୍ସି ଜଗବନ୍ଧୁଙ୍କ ଅପୂର୍ବ ତ୍ୟାଗ, ବଳିଷ୍ଠ ସାହସ ଓ ବୀରତ୍ୱର ଗାଥା ଓଡ଼ିଆ ଜାତିର ସୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଭାବରେ ଚିର ସ୍ମରଣୀୟ। ତାଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର ନିମନ୍ତେ ଦାବି କରି ରାଜଧାନୀରେ ପରାକ୍ରମ ଦେଖାଇଛି ପାଇକ ପୁଅ।

ଭୁବନେଶ୍ୱରର କଳ୍ପନା ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ପାଇକ ଆଖଡ଼ା ପ୍ରଦର୍ଶନ, ଘୋଡ଼ା ଶୋଭାଯାତ୍ରା ଏବଂ ପାଇକ ଜାତିର ଉତ୍ତରୋତର ଉନ୍ନତି ନିମନ୍ତେ ଶପଥ ଗ୍ରହଣ କରାଯାଇଇଛି। ଏହାସହ ଆସନ୍ତା ୨୯ ତାରିଖରେ ଉପରୋକ୍ତ ଦାବିକୁ ନେଇ ଜନଗର୍ଜନ ସମାବେଶ କରିବାକୁ ସ୍ଥିର କରାଯାଇଛି।

ଆଜି ଓଡ଼ିଶା ପାଇକ ଏକାମଡେମୀ ପକ୍ଷରୁ ଭୁବନେଶ୍ୱର କଳ୍ପନାଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭା, ଘୋଡ଼ା ତଥା ପାଇକ ଆଖଡ଼ା ସହ ଶୋଭାଯାତ୍ରା, ଶପଥ ଉତ୍ସବ ଓ ସଂଗ୍ରମୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଶା ପାଇକ ଏକାଡେମୀର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ହେଲେ ଓଡ଼ିଶାର ହଜାର ହଜାର ଯୁବକ କର୍ମନିଯୁକ୍ତି ପାଇବା ସହ ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବେ।

ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଆଦି ଗଠନ ହୋଇଥିବା ବେଳେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ପାଇଁ ଆଜିଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ଏଥିସହ ମାର୍ଚ୍ଚ ୨୯ ତାରିଖ ଦିନ ଭୁବନେଶ୍ୱର ରାଜରାସ୍ତାରେ ଏକଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଜନତା ମଇଦାନରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ।

ସେହିପରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରମ ଦାବି ଓ ରାଷ୍ଟପ୍ରତି ଶିଳାନ୍ୟ।।ସ କରିଥିବା ସ୍ଥାନକୁ ଯଥାଶୀଘ୍ର ହସ୍ତାନ୍ତର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ. ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି। ଏହି ସଭାରେ ଓଡ଼ିଶା ବୀର ମହାସଂଘର ସଭାପତି ତଥା ପାଇକ ସର୍ଦ୍ଦାର ଡ. ପ୍ରକାଶ ଶ୍ରୀଚନ୍ଦନ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ସମାଜସେବୀ ଗଣେଶ ସାମନ୍ତ, ସୁନିଲ ସୁନ୍ଦରାୟ, ଅଜୟ ଗୁମାନସିଂ ତଥଥା ବହୁ ବୁଦ୍ଧିଜୀବୀ ଓ ଐତିହାସିକମାନେ ଯୋଗଦେଇଥିଲେ।