ପାଟଣାଗଡ଼,ଏନ୍ଏନ୍ଏସ୍: ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା ଉପରକୁ ଯେଉଁଭଳି ଭାବେ ଟେକାପଥର ମାଡ଼ ଓ ହିଂସାତ୍ମକ ଆକ୍ରମଣ ହୋଇ ୧୪ ତାରିଖରେ ଏକ ନିରୀହ ଆଦିବାସୀ ଯୁବକଙ୍କୁ ହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଆଜି ପାଟଣାଗଡ଼ ବଜରଙ୍ଗ ଦଳର ନେତୃତ୍ୱରେ ହିନ୍ଦୁ ଜାଗରଣ ପରିଷଦ, ଆରଏସଏସ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଉପଜିଲ୍ଲାପାଳଙ୍କୁ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ଦେଇଥିଲେ । ପରେ ପାଟଣାଗଡ଼ ଥାନାକୁ ଆସି ସେଠାରେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି ଦେଇଥିଲେ । ପାଟଣାଗଡ଼ ଅଞ୍ଚଳରେ ବହୁ ଅପରିଚିତ ଅନୁପ୍ରବେଶ ବିଦେଶୀ ବଙ୍ଗଳାଦେଶୀ ସହରର ବିଭିନ୍ନ ପଡ଼ାରେ ରହି ଅପରାଧିକ କାର୍ଯକଳାପ କରି ଆସୁଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ଲିଖିତ ଅଭିଯୋଗ ହୋଇଛି । ଏହି ସମୟରେ ବଜରଙ୍ଗ ଦଳର ସଭାପତି ସମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ହିନ୍ଦୁ ଜାଗରଣ ସମନ୍ୱୟ ସମିତିର ବିକ୍ରମ ଆଚାର୍ଯ୍ୟ, ଆରଏସଏସର ପ୍ରଭାକର ପାତ୍ର, ବ୍ରାହ୍ମଣ ସମାଜର ଡମ୍ବରୁଧର ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ସତ୍ୟ ଭୋଇ, ଲକ୍ଷଣ ବୁଡ଼େକ, ଧୀରେନ ସେଠ, ପ୍ରତାପ ସିଂ ବୁଡ଼େକ, ଆକାଶ ବୁଡ଼େକ ଓ ସମ୍ବିତ ତ୍ରିପାଠୀଙ୍କ ସମେତ ଭଇଷା ଉଳବା ଓ ବେହେରା ବନ୍ଦ ଗାଁର ବହୁସଂଖ୍ୟକ ଲୋକ ଯୋଗ ଦେଇଥିଲେ ।