ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ: ୨୦୦ ଅତିଥିଙ୍କ ତାଲିକାକୁ ପ୍ରଧାନମନ୍ତ୍ରୀଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟାରେ ଭୂମି ପୂଜନରେ ଯୋଗଦେବାକୁ ୨୦୦ ଅତିଥିଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି। ଅଗଷ୍ଟ ୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱୟଂ ସଙ୍ଘ ଚାଳକ ମୋହନ ଭଗବତଙ୍କ ସହ ୫୦ ଜଣ ସାଧୁ ସାମିଲ ହେବେ। ଏଥିସହ ଶିଳ୍ପପତି ରତନ ଟାଟା, ମୁକେଶ ଅମ୍ବାନୀ, ଗୌତମ ଆଦାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅତିଥି ତାଲିକାକୁ ୪ଟି ଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଥିରେ ଦେଶର ୫୦ ବଡ଼ ସାଧୁ ସନ୍ଥ, ୫୦ ଜଣ ନେତାଙ୍କ ସମେତ ଶିଳ୍ପପତି ଓ ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ବ୍ୟକ୍ତି ସାମିଲ ଅଛନ୍ତି। ଏଥିରେ ଲାଲ କୃଷ୍ଣ ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସହ ସାଧବୀ ରୀତାଭରା ଏବଂ ବିନୟ କାଟିୟାର ସାମିଲ ହେବେ। କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଭୁମି ପୂଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଦେଶର ୫୦ ଶିଳ୍ପପତି ଏବଂ ଅଧିକାରୀଙ୍କୁ ନିମନ୍ତ୍ରଣ ପଠାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଅଗଷ୍ଟ ୫ ତାରିଖ ସକାଳ ସାଢ଼େ ୧୧ଟାରେ ଅଯୋଧ୍ୟାର ସାକେତ କଲେଜରେ ଅବତରଣ କରିବେ। ଭୂମି ପୂଜନ କାର୍ଯ୍ୟକ୍ରମ ଦୁଇ ଘଣ୍ଟା ହେବ, ଏହି ଭୂମି ପୂଜନ ପରେ ମୋଦୀ ଏକ ଘଣ୍ଟା ପାଇଁ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ଅଯୋଧ୍ୟାର ସ୍ଥାନେ ସ୍ଥାନେ ଲଗାଯାଇଥିବା ସ୍କ୍ରିନ୍‌ରେ ଲୋକମାନେ ତାଙ୍କ ଭାଷଣକୁ ଲାଇଭ୍ ଶୁଣିବାକୁ ସମର୍ଥ ହେବେ। ଏହା ବ୍ୟତୀତ ଅଯୋଧ୍ୟା ଠାରୁ ଫୈଜାବାଦ ପର୍ଯ୍ୟନ୍ତ ଲାଉଡ ସ୍ପିକର ସ୍ଥାପନ କରାଯିବ, ଯେଉଁଥିରେ ମନ୍ତ୍ର ଉଚ୍ଚାରଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣାଯିବ। ସନ୍ଧ୍ୟାରେ ସରୟୁ ଘାଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।