ଅଯୋଧ୍ୟାରେ ଜଳିବ ୫ଲକ୍ଷ ୫୧ହଜାର ମାଟି ଦୀପ

ଅଯୋଧ୍ୟା,ଏଜେନ୍ସି: ଚତୁର୍ଥ ଦୀପୋତ୍ସବ ପାଳନ କରିବା ପାଇଁ ଅଯୋଧ୍ୟାରେ ଜୋରସୋର ପ୍ରସ୍ତୁତି ଚାଲିଛି। ଦୀପାବଳୀରେ ହେବାକୁ ଥିବା ଦୀପ ଉତ୍ସବରେ ଅଯୋଧ୍ୟାର ୨୮ଟି ଘାଟରେ ଏବଂ ପ୍ରାୟ ୩୦୦ ମନ୍ଦିର ଏବଂ ମଠରେ ୫ଲକ୍ଷ ୫୧ହଜାର ମାଟି ଦୀପ ଜଳାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ପ୍ରଶାସନ। ଗତ ବର୍ଷ ଦୀପାବଳୀରେ ସରଜୁ ନଦୀ ତଟରେ ୪ଲକ୍ଷ ୧୦ହଜାର ମାଟି ଦୀପ ଜଳାଇ ଅଯୋଧ୍ୟା ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲା।

ଚଳିତ ବର୍ଷ ଦୀପାବଳୀରେ ପୁନଃନିର୍ମିତ ରାମଙ୍କ ପୈଡ଼ିଘାଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ଅଧ୍ୟକ୍ଷତାରେ ଅଧିକ ସଂଖ୍ୟକ ଦୀପ ପ୍ରଜ୍ୱଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ନିର୍ମାଣଧୀନ ରାମମନ୍ଦିରରେ ୨୧ହଜାର ଦୀପ ପ୍ରଜ୍ୱଳିତ ହେବ। ୨୦୧୭ରେ ବିଜେପି ଉତ୍ତରପ୍ରଦେଶରେ ସରକାର ଗଢିବା ପରଠାରୁ ଅଯୋଧ୍ୟରେ ପ୍ରତିବର୍ଷ ଦୀପାବଳିରେ ଦୀପୋତ୍ସବ ପାଳନ କରାଯାଉଛି।