ଏନସିବି ନିକଟରେ ହାଜର ହେଲେ ଅର୍ଜୁନ ରାମପାଲ୍

ମୁମ୍ବାଇ,ଏଜେନ୍ସି: ବଲିଉଡରେ ଡ୍ରଗଲିଙ୍କ୍ ସମ୍ପର୍କିତ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ପକ୍ଷରୁ ଅଭିନେତା ଅର୍ଜୁନ ରାମପାଲଙ୍କୁ ସମନ ପଠାଯାଇଥିଲା। ଶୁକ୍ରବାର ପଚରାଉଚରା ପାଇଁ ଏନସିବି ଅଫିସରେ ସେ ହାଜର ହୋଇଛନ୍ତି। ପୂର୍ବରୁ ସୋମବାର ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗୋବ୍ରେଲିଆ ଡେମେଟିଏଡ୍ସଙ୍କ ଘର ଉପରେ ଚଢଉ କରାଯାଇଥିବା ବେଳେ ବୁଧବାର ପଚରାଉଚରା ପାଇଁ ସେ ଏନ୍ସିବିରେ ହାଜର ହୋଇଥିଲେ।

ସୂଚନାଯୋଗ୍ୟ, ଗୋବ୍ରେଲିଆଙ୍କ ଭାଇ ଅଗିସିଲାଓସ୍ ଡେମେଟ୍ରିଏଡସଙ୍କୁ ଏନସିବି ଅକ୍ଟୋବର ୧୮ରେ ସିବିଆଇ ଗିରଫ କରିଥିଲା। ଅଗିସିଲାଓସ୍ ଜଣେ ଆଫ୍ରିକାନ୍ ନାଗରିକ ହୋଇଥିବା ବେଳେ ସେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ସପ୍ଲାୟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଏନସିବିକୁ ହସ୍ତାନ୍ତର କରାଯାଇଥିଲା। ଗାର୍ଲଫ୍ରେଣ୍ଡ୍ ଗୋବ୍ରେଲିଆଙ୍କ ଘର ପରେ ଏନସିବି ପକ୍ଷରୁ ଅର୍ଜୁନ ରାମପାଲଙ୍କ ଘର ଉପରେ ଚଢଉ କରାଯାଇଥିଲା ଏବଂ କିଛି ନିଶା ଜାତୀୟ ଔଷଧ ଜବତ କରିଥିଲା। ତେବେ ରାମପାଲ୍ ଔଷଧକୁ ପେନକିଲର ହିସାବରେ ବ୍ୟବହାର କରୁଥିଲେ ବୋଲି ଦାବି କରିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସଲିଙ୍କ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ଏଥିସହ ଜଡ଼ିତ ଥିବା ଅନେକ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଥିଲା।