ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଶିଶୁ ସୁରକ୍ଷା ଅଧିକାରକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକକୁ ସଚେତନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହାଦ୍ୱାରା ଶିଶୁମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ପରମ୍ପରା ନାଁରେ ନାବାଳିକାଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢ଼ିବା ବୟସରେ ଘର ସଂସାରରେ ଛନ୍ଦି ହୋଇ ନିଜ ଅଧିକାରରୁ ବଞ୍ଚିତ ହେବାସହ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ୱ ଲାଭ କରୁଛନ୍ତି । ସଚେତନତା ହିଁ ଶିଶୁଙ୍କୁ ସୁରକ୍ଷା ଦେବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ଯେଉଁ ଗ୍ରାମରେ ସଚେତନ ରଥ ପହଞ୍ଚିବ ସେଠାରେ ଆଶା କର୍ମୀ, ସ୍ୱୟଂସହାୟକ ଦଳର ସଭ୍ୟା, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସମସ୍ତ ଜାତିସମାଜ ମୁଖ୍ୟ, କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତିଙ୍କୁ ନେଇ ଅଙ୍ଗନବାଡି କର୍ମୀମାନେ ଶିଶୁଙ୍କୁ ଚେଙ୍କ ନଦେବା , ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା, ଶିଶୁଙ୍କ ସୁରକ୍ଷା ଓ ଅଧିକାର ଓ ଶିକ୍ଷା ଦିଗରେ ଏକ ସାଧାରଣ ସଚେତନ ବୈଠକ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଏହି ସଚେତନତା ରଥର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା, ଅଧିକାରୀ ଓ ଦୀନ ଦୟାଲ ବାଳାଶ୍ରମର ଅନ୍ତୋବାସୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।