ଦୁର୍ନୀତି ନିବାରଣ ବିଭାଗ ଓ ମିଶନ ଶକ୍ତି ବିଭଗ ପକ୍ଷରୁ ସଚେତନତା ରାଲି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆଜି ଦେବଗଡ଼ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ମିଶନ ଶକ୍ତି ବିଭାଗ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ନଡ଼ିଆ ଭାଙ୍ଗି ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ସନ୍ଦର୍ଭରେ ବିଭିନ୍ନ ସ୍ଲୋଗାନ ସହ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀ ଓ ମିଶନ ଶକ୍ତି ମହିଳା ମାନେ ସଚେତନତା ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜନ ସାଧାରଣଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଭିଜିଲାନ୍ସ ବିଭାଗ ଡିଏସପି ଯୋଗେଶ ପଟେଲ ଦୁର୍ନୀତି ମୁକ୍ତ ଭାରତ ଗଠନ ନିମନ୍ତେ ଶପଥ ପାଠ କରିଥିଲେ।