ପୁଲିସର ଅନ୍ଧବିଶ୍ୱାସ ବିରୋଧି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର,ଏନଏନଏସ : ଆଧୁନିକ ସମାଜରେ ମଧ୍ୟ ଗୁଣି ଗାରେଡି ଭଳି ନାନା ପ୍ରକାର କୁତ୍ସିତ ଅନ୍ଧବିଶ୍ୱାସ ପରମ୍ପରା ରହିଛି । ଏହି ଅନ୍ଧବିଶ୍ୱାସ ଯୋଗୁଁ ବିଭିନ୍ନ ସମୟରେ ଜୀବନହାନୀ ମଧ୍ୟ ହେଉଛି । ତେବେ ଏଭଳି ଅନ୍ଧବିଶ୍ୱାସରୁ ଦୁରେଇ ରହିବା ପାଇଁ ବଲାଙ୍ଗୀର ପୁଲିସ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କ୍ରମରେ ସଦର ଥାନା ତରଫରୁ ମାହାରପାଲୀ ଛକଠାରେ ଗୁଣି ଗାରେଡିକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସ ସମିତି ବ୍ୟାନର ତଳେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଦର ଥାନାଧିକାର ତୁଫାନ ବାଗ ଯୋଗଦେଇ ଗୁଣି ଗାରେଡିର କୌଣସି ପ୍ରକାର ବୈଜ୍ଞାନିକ ସତ୍ୟତା ନାହିଁ ।

ଏହା ସମ୍ପୁର୍ଣ୍ଣ ଭାବେ ଏକ ଅନ୍ଧବିଶ୍ୱାସ ଓ ଲୋକଙ୍କୁ ଠକିବାର ଏକ ମାଧ୍ୟ ବୋଲି ଶ୍ରୀ ବାଗ କହିବା ସହିତ ଏଭଳି ଅନ୍ଧବିଶ୍ୱାସରୁ ସମ୍ପୁର୍ଣ୍ଣ ଭାବେ ଦୁରେଇ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଅନ୍ଧବିଶ୍ୱାସକୁ ରୋକିବା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ମାଗିଥିଲେ । ହେତୁବାଦୀ ପତ୍ରିକା ବୈଜ୍ଞାନିକ ଚର୍ଚ୍ଚାର ସଂପାଦକ ଦେବେନ୍ଦ୍ର ସୁତାର ଯୋଗଦେଇ , ବଲାଙ୍ଗିର ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଗୁଣି ଗାରେଡିକୁ ବିଭିନ୍ନ ସମୟରେ ବିଭତ୍ସ ହତ୍ୟାକାଣ୍ଡମାନ ଘଟୁଥିବାର ନଜିର ରହିଛି ।

ଗୁଣିଗାରେଡି ଯୋଗୁଁ ପରିବାର ଭାଙ୍ଗି ଯାଉଥିବା ବେଳେ ସମାଜ ଉପରେ ନାନା ପ୍ରକାର ପ୍ରତିକୂଳ ପ୍ରଭାବ ପଡୁଛି ବୋଲି ଶ୍ରୀ ସୂତାର କହିଥିଲେ । ଆକାଶବାଣୀର ପୂର୍ବତନ ଉପ ନିର୍ଦ୍ଦେଶକ ସୁଧାଶୁଂ ଶେଖର ଧଡା କହିଥିଲେ , ଗୁଣି ଗାରେଡି ତଥା ଆଲୌକିକ ଘଟଣା ପ୍ରଦର୍ଶନ ପଛରେ ଗୁଣିଆମାନେ କିଛି କୌଶଳ ପ୍ରୟୋଗ କରି ଲୋକଙ୍କୁ ଧୋକା ଦେଇଥାନ୍ତି ବୋଲି କହିଥିଲେ । କିଭଳି ଭାବେ ସମ୍ମୋହନ କରି ଧୋକାବାଜୀ କରାଯାଏ ଉଦାହରଣ ସହିତ ଶ୍ରୀ ଧଡା କହିଥିଲେ । ଶେଷରେ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଶ୍ରୀ ସୂତାର ଓ ଶ୍ରୀ ଧଡା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ କିରଣ ସାହୁ, ମାହାରପାଲି ଗଅଁନ୍ତିଆ ପଂଚାନନ ଉଦୁରକୁଲିଆ ଓ ବିଷ୍ଣୁ ପ୍ରସାଦ କାଲସାହି ପ୍ରମୁଖ ଉପସ୍ଥିତ ଥିଲେ ।