ଅଷ୍ଟ୍ରେଲିଆ ୨-୦ରେ ସିରିଜ ଜିତିଲା

ପର୍ଥ,ଏଜେନ୍ସି: ପ୍ରଥମେ ବୋଲରଙ୍କ ମିଳିତ ଶ୍ରେଷ୍ଠ ପ୍ରଦର୍ଶନ ପରେ ଦୁଇ ଓପନର ଡେଭିନ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଇନିଂସ୍ ପାଇଁ ଘରୋଇ ଅଷ୍ଟ୍ରେଲିଆ ୧୦ ୱିକେଟ୍ ପାକିସ୍ତାନକୁ ପରାସ୍ତ କରିଛି। ଏହାସହ ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜକୁ ୨-୦ରେ ଜିତିଛି।

ପ୍ରଥମ ମ୍ୟାଚ୍ ବର୍ଷାଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ଅଷ୍ଟ୍ରେଲିଆ ଜିତିଥିଲା। ପର୍ଥ ଷ୍ଟାଡ଼ିୟମରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା। ଇଫ୍ତିକାର ଅହମ୍ମଦ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ବୋଲର କେନ୍ ରିଚାର୍ଡସନ୍ ୩ଟି ୱିକେଯ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ବିନା କ୍ଷତିରେ ୧୧.୫ ଓଭରରେ ୧୦୯ ରନ୍ ସଂଗ୍ରହ କରିଥିଲା। ୱାର୍ଣ୍ଣର ୩୫ ବଲରୁ ୪ ଚୌକା ଓ ୨ ଛକା ସହାୟତାରେ ୪୮ ଓ ଅଧିନାୟକ ଫିଞ୍ଚ ୩୬ ବଲରୁ ୪ ଚୌକା ଓ ୩ ଛକା ସହାୟତାରେ ୫୨ ରନ୍ ସଂଗ୍ରହ କରିଥିଲେ। ଦୁଇଟି ୱିକେଟ୍ ନେଇ ଶ୍ରେଷ୍ଠ ବୋଲିଂ କରିଥିବା ଘରୋଇ ବୋଲର ସିନ୍ ଆବୋଟ୍ଟ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ପ୍ଲେୟର ଅଫ୍ ଦି ସିରିଜ ଘୋଷିତ ହୋଇଥିଲେ।

ପ୍ରଥମେ ବ୍ୟାଟିଂ ପାଇ ପାକିସ୍ତାନ ପକ୍ଷରୁ ଇମାମ୍ ଉଲ ହକ୍ ଓ ଅଧିନାୟକ ବାବର ଆଜମ୍ ଇନିଂସ୍ ଓପନ୍ କରିଥିଲେ। ଗତ ଦୁଇଟି ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ବାବର ଏହି ମ୍ୟାଚ୍ରେ ବିଫଳ ହୋଇଥିଲେ। ଦଳୀୟ ସ୍କୋର ୧୫ ରନ୍ରେ ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଡକ୍ ହୋଇଥିଲେ। ଇମାମ୍ ଉଲ୍ ହକ୍ ୧୪ ରନ୍ କରି ଆଉଟ୍ ହୋଇଥିଲେ। ପରେ ହାରିସ୍ ସୋହେଲ ୮ ରନ୍ କରିଥିଲେ। ଇଫ୍ତିକାର ଅହମ୍ମଦ ଗୋଟିଏ ପଟେ ଧୈର୍ଯ୍ୟର ସହ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଅନ୍ୟପଟରେ କୌଣସି ଖେଳାଳି ବେଶି ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ।

ଇଫ୍ତିକାର ୩୭ ବଲରୁ ୬ ଚୌକା ସହାୟତାରେ ୪୫ ରନ୍ କରିଥିବା ବେଳେ ଖୁସ୍ଦିଲ ଶାହ ୮, ଇମାଦ୍ ୱାସିମ ୬, ମହମ୍ମଦ ଆମୀର ୯³ ଓ ମହମ୍ମଦ ହାସ୍ନେନ୍ ୪³ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଚାର୍ଡସନ୍ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ସିନ୍ ଆବୋଟ୍ଟ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।