ଭାରତ ଜ୍ବାଇଁ ହେବେ ଅଷ୍ଟ୍ରେଲିଆ ଖେଳାଳି, ମାର୍ଚ୍ଚରେ ବିବାହ

ହାଇଦ୍ରାବାଦ,ଏଜେନ୍ସି: ଇଣ୍ଡିଆ ଜ୍ବାଇଁ ହେବେ ଅଷ୍ଟ୍ରେଲିଆ କ୍ରିକେଟ ପ୍ଲେୟର ଗ୍ଲେନ ମାକ୍ସୱେଲ। ଭାରତୀୟ ବଂଶଦ୍ଭୋବ ବିନୀ ରମଣଙ୍କୁ ବିବାହ କରିବେ ମାକ୍ସୱେଲ । ମାର୍ଚ୍ଚ ୨୭ ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ୨୦୨୦ ରୁ ମେଲବର୍ଣ୍ଣରେ ଉଭୟଙ୍କ ନିର୍ବନ୍ଧ ସରି ଥିବାବେଳେ କୋଭିଡ କାଣରୁ ସ୍ଥଗିତ ରହିଥିଲା ବିବାହ।

ତେବେ ଆସନ୍ତା ମାର୍ଚ୍ଚ ରେ ଭାରତୀୟ ପରମ୍ପରାରେ ବିବାହ ନେଇ ଘୋଷଣା କରିଛନ୍ତି ମାକ୍ସୱେଲ । ଏନେଇ କାର୍ଡ ମଧ୍ୟ ଛପାସରିଛି। ବିନୀ ରମଣ ତାମିଲ ବ୍ରାହ୍ମଣ ପରିବାରର ହୋଇଥିବାରୁ ତାମିଲ ଭାଷାରେ ବିବାହ କାର୍ଡ ଛପା ଯାଇଥିବା ଦେଖିବାକୁ ମିଳିଛି। କାର୍ଡ ଅନୁଯାୟୀ, ବିବାହ ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରାରେ ହେବ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆସନ୍ତା ମାର୍ଚ୍ଚ ୨୭ ରେ ବିବାହ ନେଇ କାର୍ଡରେ ଉଲ୍ଲେଖ ରହିଛି।

ତେବେ ବିନୀ ରମଣ ତାମିଲ ଝିଅ ହୋଇଥିଲେ ମଧ୍ୟ ସେ ମେଲବର୍ଣ୍ଣରେ ଜନ୍ମ ଗ୍ରହଣ କରିଥିଲେ। ସେ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ରାମାନୁଜନ ଦାସ ଏବଂ ମାଆ ବିଜୟଲକ୍ଷ୍ମୀ ରମଣ ଅଷ୍ଟ୍ରେଲିଆରେ ରହୁଥିଲେ। ତେବେ ୨୦୧୯ରେ ବିନୀଙ୍କ ନାମ ଖବର ପରିସରଭୂକ୍ତ ହୋଇଥିଲା, ​​ଯେତେବେଳେ ମ୍ୟାକ୍ସୱେଲଙ୍କ ସହ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପରେ ଉଭୟଙ୍କ ପ୍ରେମ କାହାଣୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ମାର୍ଚ୍ଚ ୧୩, ୨୦୨୦ରେ, ବିନୀ ଏବଂ ମ୍ୟାକ୍ସୱେଲ ମେଲବର୍ଣ୍ଣରେ ଭାରତୀୟ ପରମ୍ପରା ଅନୁସାରେ ନିର୍ବନ୍ଧ କରିଥିଲେ ମାତ୍ର କୋଭିଡ କାରଣରୁ ବିବାହ ସ୍ଥଗିତ ରହିଥିଲା। ଶେଷରେ ବିନୀଙ୍କୁ ସାତ ଜନ୍ମର ସାଥି କରି ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଷ୍ଟାର୍ ପ୍ଲେୟର ଗ୍ଲେନ ମାକ୍ସୱେଲ।